ଡୋର ଷ୍ଟେପ୍‌ରେ ଟିକା

ଭୁବନେଶ୍ୱର, ୧୬।୫ – ୬୦ରୁ ଉର୍ଦ୍ଧ୍ୱ ବୟସ୍କ ବରିଷ୍ଠ ନାଗରିକଙ୍କ ପାଇଁ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ଘରକୁ ଘର ଟିକାକରଣ ଓ କୋଭିଡ୍‌ ଟେଷ୍ଟ ପ୍ରକ୍ରିୟା। ଏଥି ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କରାଯାଇଛି ବ୍ୟବସ୍ଥା।

ସକାଳ ୮ଟାରୁ ୧୧ଟା ମଧ୍ୟରେ ଟୋଲ ଫ୍ରି ନଂ (୧୯୨୯)କୁ କଲ୍‌ କରି ବରିଷ୍ଠ ନାଗରିକମାନେ ଟିକା କିମ୍ବା ଟେଷ୍ଟିଂ ପାଇଁ ସମୟ ନିର୍ଦ୍ଧାରିତ କରି ପାରିବେ। ବୁକିଂର ପର ଦିନ ବିଏମ୍‌ସିର ସ୍ବତନ୍ତ୍ର ଭ୍ୟାନ ଆସି ସାମ୍ପଲ ସଂଗ୍ରହ କରିବ କିମ୍ବା ଟିକାକେନ୍ଦ୍ରକୁ ନେଇ ଟିକାକରଣ କରାଇବା ପରେ ଘରେ ଆଣି ଛାଡିବ। ଏହି ସ୍ବତନ୍ତ୍ର ଟିକାକରଣ ପାଇଁ କସ୍ତୁରବା ସେବାଶ୍ରମ ସ୍କୁଲ, ୧୩ ନମ୍ବର ଓ୍ବାର୍ଡର ଓ୍ବାର୍ଡ ଅଫିସ୍‌ ଓ ବଡଗଡ କଲ୍ୟାଣ ମଣ୍ଡପକୁ ଚିହ୍ନଟ କରାଯାଇଛି। ତେବେ କଲ୍‌ କରିବା ସମୟରେ ହିତାଧିକାରୀମାନେ ନିଜର ସମ୍ପୂର୍ଣ୍ଣ ନାମ, ଠିକଣା ଓ ଠିକ୍‌ ଫୋନ୍‌ ନମ୍ବର ଦେବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି।