ଭୁବନେଶ୍ୱର,୨୮ା୨: କଲେଜରେ ପଢ଼ିବା ମଞ୍ଚରେ ଅଭିନୟ କରି ବେଷ୍ଟ ଆକ୍ଟର ଭାବେ ପୁରସ୍କୃତ ହୋଇଥିଲେ ଉତ୍ତମ। ମାତ୍ର ଅଭିନେତା ହେବାକୁ ତାଙ୍କର ଇଚ୍ଛା ନ ଥିଲା। ୧୯୭୫ ମସିହା ବେଳକୁ ଲୁଧିଆନାରେ ଚାଟାର୍ଡ ଆକାଉଣ୍ଟାଣ୍ଟ ପାଠ ପଢୁଥିବାବେଳେ, ନିର୍ଦ୍ଦେଶକ ସାଧୁ ମେହେର ତାଙ୍କୁ ଚଳଚ୍ଚିତ୍ରରେ ନାୟକ ସାଜିବା ପାଇଁ ଅଫର୍ ଦେଇଥିଲେ। ଏନେଇ ସେ ଏକ ପତ୍ର ତାଙ୍କ ଘରକୁ ପଠାଇଥିଲେ। କିନ୍ତୁ ଉତ୍ତମଙ୍କ ପାଠପଢା ଚାଲିଥିବାରୁ ବଡ଼ଭାଇ ଏହି ପତ୍ରକୁ ଚିରି ଦେଇଥିଲେ।
ପରବର୍ତ୍ତୀ ସମୟରେ ଉତ୍ତମ ମାସେ ଛୁଟିରେ ବାରିପଦା ନିଜ ଘରକୁ ଆସିଥିବାବେଳେ କାହାଣୀ ଲେଖକ ଆନନ୍ଦ ଶଙ୍କର ଦାସ ତାଙ୍କୁ ବାଧ୍ୟ କରି ସାଧୁ ମେହେରଙ୍କ ସହ ସାକ୍ଷାତ କରାଇଥିଲେ। ଉତ୍ତମଙ୍କ ସହ ସାକ୍ଷାତ୍କାର ପରେ ସାଧୁ ମେହେର ତାଙ୍କୁ ନାୟକ ଭାବେ ମନେ ମନେ ଗ୍ରହଣ କରି ନେଇଥିଲେ। ଉତ୍ତମଙ୍କ ଫଟୋଜେନିକ ଫେସ୍ ଓ ହିରୋମାର୍କା ଚେହେରା ଯୋଗୁଁ ସାଧୁ ମେହେର ଉତ୍ତମଙ୍କୁ ତାଙ୍କ ‘ଅଭିମାନ’ ଚଳଚ୍ଚିତ୍ରରେ ନେବା ପାଇଁ ଏକ ପ୍ରକାର ନିଶ୍ଚିତ କରି ନେଇଥିଲେ। କିନ୍ତୁ ଉତ୍ତମଙ୍କ ଘରେ ସମସ୍ତେ ଏହାର ବିରୋଧ କରିଥିଲେ। ପରେ ଭଉଣୀମାନେ ବୁଝାଇବାରୁ ସମସ୍ତେ ରାଜି ହୋଇଥିଲେ। ମାସେ ଭିତରେ ଫିଲ୍ମର ଶୁଟିଂ ହୋଇଥିଲା ଏବଂ ୧୯୭୭ରେ ଅଭିମାନ ସୁପରହିଟ୍ ହେଲା। ୩ବର୍ଷ ପରେ ସେ ଚଳଚ୍ଚିତ୍ର ‘ପତିପତ୍ନୀ’ ଜରିଆରେ ପୁଣି ରୂପେଲି ପରଦାକୁ ଫେରିଥିଲେ।
ଅଭିନୟ ପାଇଁ ସବୁବେଳେ ଦର୍ଶକଙ୍କ ଫେଭରିଟ୍ ରହି ଆସିଥିବା ଉତ୍ତମ ପ୍ରେମକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚାରେ ଥିଲେ। ଅପରାଜିତାଙ୍କୁ ପ୍ରଥମ ଦେଖାରେ ହିଁ ମନ ଦେଇ ବସିଥିଲେ ଉତ୍ତମ। ମାତ୍ର ଅପରାଜିତା ପ୍ରଥମେ ଏଥିରେ ରାଜି ହୋଇ ନ ଥିଲେ। ଦୀର୍ଘ ବର୍ଷର ଅପେକ୍ଷା ପରେ ଶେଷରେ ଅପରାଜିତା ସବୁଜ ସଂକେତ ଦେଇଥିଲେ। ତେବେ ଏହି କଳାକାର ଦମ୍ପତ୍ତିଙ୍କ ପୁତ୍ର ବାବୁସାନ୍ ଏବେ ଓଡ଼ିଆ ସିନେ ଜଗତର ଆଗଧାଡ଼ିର ନାୟକ।