
ଭୁବନେଶ୍ୱର,୧୮।୨: KIIT ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲମସାଲ ମୃତ୍ୟୁ ମାମଲାରେ ସାରା ବିଶ୍ୱରେ ନିନ୍ଦିତ ହୋଇଛି ଓଡିଶା। ଏହି ଘଟଣାରେ ଶିକ୍ଷାନୁଷ୍ଠାନରେ ଅଶାନ୍ତ ବାତାବରଣ ସୃଷ୍ଟି ହେବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁଷ୍ଠାନକୁ ତୁରନ୍ତ ସାଇନ୍ ଏ ଡାଏ ଘୋଷଣା କରିବା ସହିତ ଏଠାରେ ଅଧ୍ୟୟନରତ ନେପାଳର ଶତାଧିକ ଛାତ୍ରୀଛାତ୍ରଙ୍କୁ ଶିକ୍ଷାନୁଷ୍ଠାନ ଛାଡ଼ିବାକୁ ବାଧ୍ୟ କରିଥିଲେ।
ଏପରି କି ପିଲାମାନଙ୍କୁ ବଳପୂର୍ବକ ଶିକ୍ଷାନୁଷ୍ଠାନର ବସ୍ରେ ବସାଇ କଟକ ରେଳ ଷ୍ଟେଶନରେ ଛାଡ଼ି ଦେଇଥିବା ମଧ୍ୟ ଦେଖୁବାକୁ ମିଳିଥିଲା। ଏହାରି ମଧ୍ୟରେ KIIT ବିଶ୍ବବିଦ୍ୟାଳୟର ଲାଇସେନ୍ସ ରଦ୍ଦ ପାଇଁ ଶିଳ୍ପମନ୍ତ୍ରୀଙ୍କୁ ଦାବିପତ୍ର। ନେପାଳୀ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗରେ ଉତ୍କଳ ଛାତ୍ର ସଂଘର କର୍ମକର୍ତ୍ତା ସୋମବାର ଶିଳ୍ପମନ୍ତ୍ରୀଙ୍କୁ ଭେଟି ଏଭଳି ଦାବିପତ୍ର ଦେଇଛନ୍ତି।
KIIT ବିଶ୍ୱବିଦ୍ୟାଳରେ ଘଟିଥିବା ଅମାନୁଷିକ ଘଟଣାକୁ ଦୃଢ଼ତାର ସହିତ ବିରୋଧ କରି ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ଦେଇଛି ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ।#kiituniversity #MurderCase #nepali #students #usaodisha #utkalstudentsassociation #odiaasmita #odishagovt #cmoodisha #sampadswain pic.twitter.com/FTDtWR0L2d
— Utkal Students Association, Odisha (@USA_Odisha) February 17, 2025
ଫେବୃଆରୀ ଶେଷ ସପ୍ତାହରେ ପରୀକ୍ଷା ଥିବାବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ଆଚରଣକୁ ଛାତ୍ରୀଛାତ୍ର ଏବଂ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଏପରି କି ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଏହି ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ଘଟଣାର ସମାଧାନ ପାଇଁ କୂଟନୈତିକସ୍ତରରେ ଆଲୋଚନା କରାଯାଉଛି ବୋଲି କହିଛନ୍ତି। ବିଭିନ୍ନ ମହଲରୁ ଘଟଣାକୁ ନିନ୍ଦା କରାଯିବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନେପାଳୀ ଛାତ୍ରୀଛାତ୍ରଙ୍କୁ ଫେରି ଆସି କ୍ଲାସରେ ଯୋଗଦେବାକୁ ନିବେଦନ କରିଛନ୍ତି।
ସେପଟେ କିଟ୍ରେ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ନେପାଳ ସହ ଭାରତର ସମ୍ପର୍କ ଅତ୍ୟନ୍ତ ଗଭୀର ଏବଂ ନେପାଳ ସହ ଓଡ଼ିଶାର ସମ୍ପର୍କ ମଧ୍ୟ ଜଗନ୍ନାଥଙ୍କୁ ଆଧାର କରି ରହିଆସିଛି। କିଟ୍ରେ ଯାହା ଘଟିଛି ତାହା ଦୁଃଖଦ, ମୃତା ଛାତ୍ରୀଙ୍କ ପରିବାର ପ୍ରତି ଆମେ ସମବେଦନା ଜ୍ଞାପନ କରୁଛୁ। ଘଟଣା ଘଟିବା ପରେ ଗୃହ ବିଭାଗ ତ୍ବରିତ ପଦକ୍ଷେପ ନେଇଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଆଉ ଯେଉଁମାନେ ଏଥିରେ ସାମିଲ ଥିବେ, ସେହି ଦିଗକୁ ଗୁରୁତ୍ୱ ଦିଆଯିବ ବା ଅତ୍ୟନ୍ତ ସମ୍ବେଦନଶୀଳ ଭାବରେ ଘଟଣାକୁ ଗୁରୁତର ସହ ନିଆଯାଇଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠୁ ଆରମ୍ଭ କରି ବହିବ୍ୟାପାର ମନ୍ତ୍ରଣାଳୟ ସହ ମଧ୍ୟ ଆମେ ଯୋଗାଯୋଗରେ ଅଛୁ। ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ଛାତ୍ରୀଛାତ୍ରମାନଙ୍କୁ କ୍ୟାମ୍ପସ୍ ଫେରିଆସିବାକୁ କିଟ୍ ପକ୍ଷରୁ ଅପିଲ୍ କରାଯାଇଛି। ସେମାନଙ୍କୁ ଆଣିବାକୁ ଓଏସ୍ଆର୍ଟିସି ବସ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ସହ କାଉନ୍ସେଲିଂ ଆଧାରରେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯେପରି କୌଣସି ମାନସିକ ନିର୍ଯାତନା ନ ମିଳିବ, ସେଥିପାଇଁ ସରକାର ଆଲୋଚନା କରିବା ସହ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂର୍ଯ୍ୟବଂଶୀ କହିଛନ୍ତି।