ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ କାଷ୍ଟିଂ କାଉଚ ଅଭିଯୋଗ: ୩ ଜଣିଆ ଟିମ୍‌ର ତଦନ୍ତ ଆରମ୍ଭ

ଭୁବନେଶ୍ୱର,୪ା୧୨: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଡ୍ରାମା ବିଭାଗର ଜଣେ ଅଧ୍ୟାପକଙ୍କ ନାଁରେ କାଷ୍ଟିଂ କାଉଚ୍‌ ଏବଂ ଅଶାଳୀନ ଆଚରଣ ନିର୍ଯାତନା ଅଭିଯୋଗ ଆଣି ଛାତ୍ରୀମାନେ କ୍ୟାମ୍ପସ୍‌ରେ ପ୍ରବଳ ହଙ୍ଗାମା କରିଛନ୍ତି। ଏହି ଘଟଣାକୁ ନେଇ କଲେଜରେ ପ୍ରବଳ ଉତ୍ତେଜନା ଦେଖାଦେଇଥିବା ବେଳେ ଛାତ୍ରୀମାନେ ରାଜରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଡ୍ରାମା ବିଭାଗର ଅଧ୍ୟାପକ ଶତ୍ରୁଘ୍ନ ସାମଲ ଛାତ୍ରୀମାନଙ୍କ ପ୍ରତି ଅଶାଳୀନ ବ୍ୟବହାର, ଖରାପ ସ୍ପର୍ଶ ଏବଂ ଯୌନ ଇଙ୍ଗିତ କରି ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଭଲ ଗ୍ରେଡ୍‌ ଓ ସୁବିଧା ଦେବା ଲୋଭ ଦେଖାଇ ଶାରୀରିକ ସମ୍ପର୍କ ପାଇଁ ପ୍ରବର୍ତ୍ତାଉଥିବା ମଧ୍ୟ ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଅନେକ ଛାତ୍ରୀଙ୍କ ସହ ଏଭଳି ଘଟଣା ଘଟିବା ପରେ ଏହା ଏକ ବଡ଼ ଧରଣର ବିକ୍ଷୋଭର ରୂପ ନେଇଥିଲା। ବିକ୍ଷୋଭ ସମୟରେ ଜଣେ ଛାତ୍ରୀ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ଛାତ୍ରୀମାନେ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରି ରାସ୍ତା ଅବରୋଧ କରିଥିଲେ, ଯାହା ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଆନ୍ଦୋଳନକାରୀ ଛାତ୍ରୀମାନେ ଅଭିଯୁକ୍ତ ଅଧ୍ୟାପକଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛନ୍ତି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଓଡ଼ିଶା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ, କିନ୍ତୁ ଛାତ୍ରୀମାନେ ଶାନ୍ତ ହୋଇନଥିଲେ।

ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ତଦନ୍ତ ଆରମ୍ଭ ହୋଇଛି। ବିଭାଗର ସ୍ୱତନ୍ତ୍ର ସଚିବ ଦେବ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ ଟିମ୍ କଲେଜରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦେବ ପ୍ରସାଦ ଦାସ କହିଛନ୍ତି ଯେ ଗଣମାଧ୍ୟମର ରିପୋର୍ଟ ଦେଖି ସେମାନେ ତଦନ୍ତ ପାଇଁ ଆସିଛନ୍ତି ଏବଂ ଛାତ୍ରୀ ଓ କଲେଜ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରାଯିବ। ତେବେ, ଏହି ଘଟଣା ନେଇ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Share