ଭୁବନେଶ୍ୱର,୪ା୧୨: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ଘଟଣାରେ କଲେଜ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଛାତ୍ରୀମାନଙ୍କୁ କାଷ୍ଟିଂ କାଉଚ୍ ଓ ଅଶାଳୀନ ଆଚରଣରେ ନିର୍ଯାତନା ଦେଉଥିବା ଅଭିଯୋଗରେ ଡ୍ରାମା ବିଭାଗର ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ କଲେଜରୁ ବହିଷ୍କାର କରାଯାଇଛି।
କଲେଜର ପ୍ରିନ୍ସିପାଲ୍ ବିଜୟ ଜେନା ଏହି ଅଭିଯୁକ୍ତ ଅଧ୍ୟାପକଙ୍କୁ ବହିଷ୍କାର କରାଯାଇଥିବା ସୂଚନା ଦେଇଛନ୍ତି। କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ ଅଟକ ରଖିଛି।
ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କ ନାଁରେ ‘ଖରାପ ସ୍ପର୍ଶ’, ଯୌନ ଇଙ୍ଗିତ, ଓ ଭଲ ଗ୍ରେଡ୍ ବା ସୁବିଧା ଦେବା ଲୋଭ ଦେଖାଇ ଶାରୀରିକ ସମ୍ପର୍କ ପାଇଁ ପ୍ରବର୍ତ୍ତାଇବା ଭଳି ସଙ୍ଗୀନ ଅଭିଯୋଗ ଥିଲା।
ଏହି ଘଟଣାକୁ ନେଇ ଛାତ୍ରୀମାନେ କ୍ୟାମ୍ପସରେ ହଙ୍ଗାମା କରିବା ସହ ରାଜରାସ୍ତା ଅବରୋଧ କରି ତୁରନ୍ତ ଅଭିଯୁକ୍ତଙ୍କୁ ବହିଷ୍କାର କରିବାକୁ ଦାବି କରିଥିଲେ। ବିକ୍ଷୋଭ ସମୟରେ ଜଣେ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲ୍ ଯାଇଥିଲେ।
ଏହି ଘଟଣାର ତଦନ୍ତ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ଦେବ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ ଟିମ୍ କଲେଜରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।


