ନୂଆଦିଲ୍ଲୀ,୧୪।୧: ଆଗାମୀ ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଆମେରିକା (USA) ଦଳର କିଛି ଖେଳାଳିଙ୍କୁ ନେଇ ଭିସା ବିବାଦ ଦେଖାଦେଇଛି। ଆମେରିକା କ୍ରିକେଟ୍ ବୋର୍ଡ ଏହି ଘଟଣାରେ ନିଜର ସ୍ପଷ୍ଟିକରଣ ରଖି ଗୁଜବକୁ ଖଣ୍ଡନ କରିଛି।
ଆମେରିକା କ୍ରିକେଟର ପାକିସ୍ତାନୀ ବଂଶୋଦ୍ଭବ ବୋଲର ଅଲି ଖାନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଦାବି କରିଥିଲେ ଯେ, ତାଙ୍କ ସମେତ ୪ ଜଣ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳିଙ୍କୁ ଭାରତ ଭିସା ଦେବାକୁ ମନା କରିଦେଇଛି। କିନ୍ତୁ ଆମେରିକା କ୍ରିକେଟ୍ ଆସୋସିଏସନର ଜଣେ ବରିଷ୍ଠ ଅଧିକାରୀ ଏହି ଦାବିକୁ ଭୁଲ ବୋଲି କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଭିସା ଆବେଦନ ପ୍ରତ୍ୟାଖ୍ୟାନ ହୋଇନାହିଁ, ବରଂ ପ୍ରକ୍ରିୟାରେ ବିଳମ୍ବ ହେଉଛି। ପ୍ରଭାବିତ ହୋଇଥିବା ୪ ଖେଳାଳି ହେଉଛନ୍ତି ଅଲି ଖାନ, ଶାୟାନ ଜାହାଙ୍ଗୀର, ମହମ୍ମଦ ମୋହସିନ ଏବଂ ଏହସାନ ଆଦିଲ।
ଭାରତର ଭିସା ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ପାକିସ୍ତାନରେ ଜନ୍ମଗ୍ରହଣ କରିଥାନ୍ତି, ତେବେ ସେମାନେ ଅନ୍ୟ ଦେଶର ନାଗରିକ ହୋଇଥିଲେ ମଧ୍ୟ ସେମାନଙ୍କୁ ଭିସା ପାଇଁ କିଛି ଅଧିକ ଯାଞ୍ଚ ଏବଂ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିଥାଏ। ଏହି କାରଣରୁ ଭିସା ମିଳିବାରେ ସମୟ ଲାଗୁଛି।
କେବଳ ଆମେରିକା ନୁହେଁ, ବରଂ ୟୁଏଇ (UAE), ଓମାନ, ନେପାଳ, କାନାଡା, ଇଂଲଣ୍ଡ, ଜିମ୍ବାୱେ ଏବଂ ନେଦରଲ୍ୟାଣ୍ଡ ଭଳି ପ୍ରାୟ ୮ଟି ଦେଶର ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି ଏହି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ତେବେ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିଛି। ଭାରତୀୟ ଦୂତାବାସଗୁଡ଼ିକୁ ଏହି ଖେଳାଳିମାନଙ୍କ କ୍ଷେତ୍ରରେ ସ୍ୱତନ୍ତ୍ର ବିଚାର କରି ଭିସା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।


