![](https://www.dharitri.com/wp-content/uploads/2025/01/Untitled-1-47.jpg)
ନୂଆଦିଲ୍ଲୀ,୭।୧: ଭାରତକୁ ଆମେରିକା ବେସାମରିକ ଆଣବିକ କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ ଯୋଗାଇଦେବ। ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଜେକ୍ ସୁଲିଭାନ୍ ସୋମବାର ଏହା କହିଛନ୍ତି। ଆଇଆଇଟି ଦିଲ୍ଲୀରେ ଉଦ୍ବୋଧନ ଦେଇ ସୁଲିଭାନ୍ କହିଛନ୍ତି, ଦିବଙ୍ଗତ ପ୍ରଧାନମନ୍ତ୍ରୀ ମନମୋହନ ସିଂ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଜର୍ଜ ବୁଶ୍ଙ୍କ ସହ ସିଭିଲ୍ ନ୍ୟୁକ୍ଲିୟର ଡିଲ୍ ସ୍ବାକ୍ଷର କରିଥିଲେ। ଇତିମଧ୍ୟରେ ୨ ଦଶନ୍ଧି ବିତିଥିଲେ ମଧ୍ୟ ଉଭୟ ଦେଶ ଏହାର ସହଯୋଗକୁ ସମ୍ପୂର୍ଣ୍ଣ ଅନୁଭବ କରିନାହାନ୍ତି। ଭାରତର ପ୍ରମୁଖ ଆଣବିକ ସଂସ୍ଥା ଏବଂ ଆମେରିକୀୟ କମ୍ପାନୀ ମଧ୍ୟରେ ବେସାମରିକ ଆଣବିକ ସହଯୋଗ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ପୁରୁଣା ନିୟାମକଗୁଡ଼ିକୁ ହଟାଇବା ପାଇଁ ଓ୍ବାଶିଂଟନ ନେଇଥିବା ଆବଶ୍ୟକ ପଦକ୍ଷେପ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆନୁଷ୍ଠାନିକ କାଗଜପତ୍ର କାମ ଶେଷ ହେଲେ ଭାରତ-ଆମରିକା ସମ୍ପର୍କରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ ବୋଲି ସୁଲିଭାନ୍ କହିଛନ୍ତି।