ନୂଆଦିଲ୍ଲୀ,୧୨ା୧: ଆମେରିକାରେ ଟ୍ରମ୍ପ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଭିସା ରଦ୍ଦ କରାଯାଇଛି। ଏଥିମଧ୍ୟରେ ପ୍ରାୟ ୮,୦୦୦ ଛାତ୍ର ଭିସା ଏବଂ ପ୍ରାୟ ୨,୫୦୦ ସ୍ପେଶାଲ କ୍ୟାଟେଗୋରୀ ଭିସା ଅନ୍ତର୍ଭୁକ୍ତ।
ରିପୋର୍ଟ ଅନୁଯାୟୀ, ୨୦୨୫ ରେ ଭିସା ରଦ୍ଦ ହେବାର ଏହି ସଂଖ୍ୟା ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ କାର୍ଯ୍ୟକାଳ (୨୦୨୪) ତୁଳନାରେ ଦୁଇ ଗୁଣରୁ ଅଧିକ। ଭିସା ରଦ୍ଦ ହେବାର ମୁଖ୍ୟ କାରଣଗୁଡ଼ିକ ହେଲା, ଅଧିକାଂଶ ବ୍ୟବସାୟିକ ଏବଂ ପର୍ଯ୍ୟଟନ ଭିସାଧାରୀ ସେମାନଙ୍କ ଅବଧି ଶେଷ ହେବା ପରେ ମଧ୍ୟ ବେଆଇନ ଭାବେ ଆମେରିକାରେ ରହୁଥିଲେ। ମଦ୍ୟପାନ କରି ଗାଡ଼ି ଚଳାଇବା, ମାରପିଟ୍, ଚୋରି, ଶିଶୁ ନିର୍ଯାତନା ଏବଂ ପ୍ରତାରଣା ଭଳି ଅପରାଧରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ଭିସା ରଦ୍ଦ କରାଯାଇଛି। ପ୍ରାୟ ୫୦୦ ଛାତ୍ରଙ୍କ ଭିସା ନିଶାଦ୍ରବ୍ୟ ବ୍ୟବହାର କିମ୍ବା ବିକ୍ରି କରିବା ଅଭିଯୋଗରେ ରଦ୍ଦ କରାଯାଇଛି।
ଟ୍ରମ୍ପ ପ୍ରଶାସନ ଇମିଗ୍ରେସନ ସିଷ୍ଟମରେ ବଡ଼ ଧରଣର ପରିବର୍ତ୍ତନ କରୁଥିବାରୁ ଏହା ସେଠାରେ ରହୁଥିବା ବିଦେଶୀ ନାଗରିକ, ବିଶେଷ କରି ଭାରତୀୟଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଆମେରିକା ସ୍ପଷ୍ଟ କରିଛି ଯେ ଜାତୀୟ ସୁରକ୍ଷା ଏବଂ ନାଗରିକଙ୍କ ସୁରକ୍ଷା ପାଇଁ ଏହି କଠୋର ପଦକ୍ଷେପ ଜାରି ରହିବ।


