ଲାଞ୍ଜିଗଡ଼,୧୪ା୩(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ୧୮୯୧ ମସିହାରେ ସ୍ଥାପିତ ହୋଇଥିବା ବିଦ୍ୟାଳୟକୁ ଇତିମଧ୍ୟରେ ୧୩୫ ବର୍ଷ ବିତିବାକୁ ବସିଥିବାବେଳେ ଅଣଦେଖା କରାଯିବା ଘଟଣା ଆଲୋଚନାର ବିଷୟ ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ସ୍କୁଲରେ ୩୮୧ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସ୍କୁଲ ପାଚେରିର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ବେଳେ ଛାତରୁ ପାଣି ଗଳୁଛି। ସମ୍ପୂର୍ଣ ଛପର ଘର ଥିବା ଏହି ସ୍କୁଲର ବିଭିନ୍ନ ସ୍ଥାନରେ କାନ୍ଥ ଫାଟି ଆଁ କଲାଣି। ଚଟାଣ ଫାଟି ଯାଇଥିବା ବେଳେ ଛପରରେ ଲାଗିଥିବା କାଠ ଉଈ ଖାଇ ଝୁଲିକି ରହିଛି। ଏ ନେଇ ସ୍କୁଲ ପରିଚାଳନା କମିଟି ସଭାପତି ବଳରାମ ପୂଜାରୀଙ୍କୁ ପଚାରିବାରୁ ବାରମ୍ବାର ପ୍ରଶାସନକୁ ଅବଗତ କରିବା ପରେ ବି ସ୍ଥିତିରେ କୌଣସି ସୁଧାର ଆସୁ ନ ଥିବା କହିଛନ୍ତି। ଏହି ସମସ୍ୟା ଯୋଗୁ ପ୍ରାୟ ୫୦ ପ୍ରତିଶତ ଛାତ୍ରୀଛାତ୍ର ବାରଣ୍ଡାରେ ବସି ପାଠ ପଢୁଛନ୍ତି। ମଧ୍ୟାହ୍ନ ଭୋଜନ ରୋଷେଇ ହେଉଥିବା ସ୍ଥାନରେ ପାଣି ଗଳୁଛି। ଅଳ୍ପ ବର୍ଷାରେ ବି ଲାଞ୍ଜିଗଡ଼ ବସ୍ତିର ଡ୍ରେନ୍ ପାଣି ସ୍କୁଲରେ ପ୍ରବେଶ କରି କୃତ୍ରିମ ପୋଖରୀ ସୃଷ୍ଟି କରୁଛି। ପ୍ରଶାସନିକ ଅଣଦେଖା ଯୋଗୁ ଏହି ବିଦ୍ୟାଳୟର ଅବସ୍ଥା ଜରାଜୀର୍ଣ୍ଣ ହୋଇ ରହିଥିବା ବେଳେ ଅଭିଭାବକମାନେ ପିଲାଙ୍କୁ ଛାଡିବା ନେଇ ଆଶଙ୍କା ବ୍ୟକ୍ତ କଲେଣି। ୨୦୨୩ ଅଗଷ୍ଟ ୨୧ରେ ରାଜ୍ୟ ସରକାରଙ୍କ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ସ୍କୁଲ ଭିତ୍ତିଭୂମି, ସ୍କୁଲରେ ଅତିରିକ୍ତ ଶିକ୍ଷା ସୁବିଧା, ସ୍କୁଲ ଶିକ୍ଷାର ଆଧୁନିକୀକରଣ ପାଇଁ ଅନୁଦାନ ଦିଆଯାଇଥିଲା। କିନ୍ତୁ ସେତେବେଳେ ଏହି ଯୋଜନାରୁ ବାଦ ପଡ଼ିଥିଲା ଲାଞ୍ଜିଗଡ଼ ଉଚ୍ଚ ପ୍ରାଥମିକ ସ୍କୁଲ। ଗତବର୍ଷ ଜିଲା ପ୍ରଶାସନ ପକ୍ଷରୁ ଏହି ସ୍କୁଲକୁ ଗୋଦାବରୀଶ ମିଶ୍ର ସ୍କୁଲ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଖୋଦ ଜିଲାପାଳ ସୁପାରିସ କରିଥିଲେ। ମାତ୍ର ତାହା ବି ହୋଇପାରି ନ ଥିଲା। ଏହି ପୁରୁଣା ସ୍କୁଲକୁ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ଓ ରାଜନେତାମାନେ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରୁଥିବା ନେଇ ଅଭିଭାବକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ତେଣୁ ପ୍ରଶାସନ ଏହି ବିଦ୍ୟାଳୟ ଶୀଘ୍ର ପୁନରୁଦ୍ଧାର ପାଇଁ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଲାଞ୍ଜିଗଡ଼ ବିଇଓ ଋଷିଆ ମେହେରଙ୍କୁ ପଚାରିବାରୁ ସ୍କୁଲର ଉନ୍ନତୀକରଣ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। ଅନୁଦାନ ଆସିଲେ ଏହି କାର୍ଯ୍ୟ କରାଯିବ ବୋଲି ସେ କହିଥିଲେ।
Dharitri – Odisha’s No.1 Odia Daily

