ଶୀତଳଭଣ୍ଡାର ପାଇଁ ୬୦% ପର୍ଯ୍ୟନ୍ତ ରିହାତି

ରାଜ୍ୟ କ୍ୟାବିନେଟ ବୁଧବାର ୧୦ଟି ପ୍ରସ୍ତାବ ଉପରେ ମୋହର ମାରିଛି। ପ୍ରତ୍ୟେକ ସବ୍‌ଡିଭିଜନରେ ଶୀତଳ ଭଣ୍ଡାର ନିର୍ମାଣ ସହ ନବୀକରଣ କଲେ ୫୦ରୁ ୬୦% ରିହାତି(ସବ୍‌ସିଡି) ବ୍ୟବସ୍ଥା ଘୋଷଣା କରାଯାଇଛି। ଏହାସହ ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଭାଜପା ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକୁ ଯେଭଳି ଖୁବ୍‌ଶୀଘ୍ର ପୂରଣ କରିବ, ସେନେଇ ତତ୍ପରତା ଦେଖାଉଥିବାବେଳେ ଆସନ୍ତା ବଜେଟ ପୂର୍ବରୁ କ୍ୟାବିନେଟର ଏହି ନିଷ୍ପତ୍ତିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ପ୍ରତିଶ୍ରୁତି ପାଳନ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବା ମଧ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ହୋଇଛି। ତେଣୁ ଷୋଡ଼ଶ ଅର୍ଥ କମିଶନଙ୍କଠାରୁ ରାଜ୍ୟ ପାଇଁ ୧୨,୬୫,୧୪୮ କୋଟି ଟଙ୍କାର ଦାବି କରାଯିବାକୁ କ୍ୟାବିନେଟରେ ସ୍ଥିର କରାଯାଇଛି।

ଭୁବନେଶ୍ୱର,୨୩ା୧(ଅନିଲ ଦାସ): ଶୀତଳଭଣ୍ଡାର ଅଭାବରୁ ରାଜ୍ୟରେ ଉତ୍ପାଦିତ ଖାଦ୍ୟଶସ୍ୟ ମହଜୁଦ ରଖିବା ନେଇ ସମସ୍ୟା ସୃଷ୍ଟି ହେଉଛି। ତିରୋଟ ସମୟରେ ରାଜ୍ୟରେ ଖାଦ୍ୟଶସ୍ୟ ଓ ପନିପରିବା ଦର ଆକାଶଛୁଆଁ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତ୍ୟେକ ସବ୍‌ଡିଭିଜନରେ ଗୋଟିଏ ଲେଖାଏ ଶୀତଳଭଣ୍ଡାର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ‘ଶୀତଳଭଣ୍ଡାର ପାଇଁ ଆର୍ଥିକ ସହାୟତା’ ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁମୋଦନ ମିଳିଛି। ରାଜ୍ୟର ୫୮ଟି ସବ୍‌ଡିଭିଜନରେ ଅତିକମ୍‌ରେ ଗୋଟିଏ ଶୀତଳଭଣ୍ଡାର ନିର୍ମାଣ ଲକ୍ଷ୍ୟରେ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇଦେବେ। ଏହାଦ୍ୱାରା ରାଜ୍ୟର କୃଷକମାନଙ୍କୁ ସେମାନଙ୍କ ଶୀତଳଭଣ୍ଡାର ପାଇଁ ଉତ୍ପାଦିତ ଦ୍ରବ୍ୟର ବଜାର ସୁଯୋଗ ମିଳିବା ସହିତ ଅମଳ ପରବର୍ତ୍ତୀ ଫସଲର ଅଭାବୀ ବିକ୍ରିକୁ ରୋକାଯାଇ ପାରିବ। ଏଥିସହିତ ଶୀତଳଭଣ୍ଡାର ମାଧ୍ୟମରେ ମଧ୍ୟମ ଅବଧି ସଂରକ୍ଷଣ ସୁବିଧା ଯୋଗାଇ କୃଷକକମାନଙ୍କ ଆର୍ଥିକ ବିକାଶରେ ମଧ୍ୟ ସହାୟତା କରାଯାଇପାରିବ।
ଶୀତଳଭଣ୍ଡାର କରିବାକୁ ଆଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତି ଓ ସଂସ୍ଥାଗୁଡ଼ିକ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇଦେବେ। ନୂତନ ଶୀଳତଭଣ୍ଡାର ସ୍ଥାପନ ପାଇଁ ଏସ୍‌ସି/ଏସ୍‌ଟି/ କିନ୍ନର, ମହିଳା ଏବଂ ଅନୁସୂଚିତ ଅଞ୍ଚଳର ହିତାଧିକାରୀଙ୍କ ପାଇଁ ସ୍ଥାୟୀ ପୁଞ୍ଜି ବିନିଯୋଗର ୬୦ ପ୍ରତିଶତ ସର୍ବାଧିକ ୬.୫୦ କୋଟି ଟଙ୍କା ଯାଏ ରିହାତି ପ୍ରଦାନ କରାଯିବ। ଅନ୍ୟାନ୍ୟ ହିତାଧିକାରୀଙ୍କ ପାଇଁ ସ୍ଥାୟୀ ପୁଞ୍ଜି ବିନିଯୋଗର ୫୦ପ୍ରତିଶତ ଅର୍ଥାତ୍‌ ସର୍ବାଧିକ ୬କୋଟି ଟଙ୍କା ସବ୍‌ସିଡି ପ୍ରଦାନ କରାଯିବ। ସେହିପରି ଏମ୍‌ଏସ୍‌ଏମ୍‌ଇ ବିଭାଗର ସିଏମ୍‌-ଏସ୍‌ଆର୍‌ଆଇଏମ୍‌ ଯୋଜନା ଅଧୀନରେ ବ୍ୟାଙ୍କଗୁଡ଼ିକରୁ ଶୀତଳଭଣ୍ଡାର ନିର୍ମାଣ ପାଇଁ ଆଣିଥିବା ବ୍ୟାଙ୍କ ଋଣ ଉପରେ ୧୦ ଲକ୍ଷ ଟଙ୍କା ଉପରେ ସମସ୍ତ ସୁଧ ଛାଡ଼ କରାଯିବ। ୧୦ରୁ ୫୦ ଲକ୍ଷ ଯାଏ ୭୫ ପ୍ରତିଶତ, ୫୦ରୁ ୧ କୋଟି ଯାଏ ୫୦ ପ୍ରତିଶତ ଏବଂ ୧ କୋଟିରୁ ୫ କୋଟି ଯାଏ ଋଣ ଉପରେ ୫ପ୍ରତିଶତ ସୁଧ ଫେରସ୍ତ କରାଯିବ। ଏଥିସହିତ ଶୀତଳ ଭଣ୍ଡାର ପାଇଁ ସ୍ବତନ୍ତ୍ର ଆର୍ଥିକ ସହାୟତା ଭାବେ ୬% ପର୍ଯ୍ୟନ୍ତ ସୁଧ ରିହାତି ମିଳିବ, ଯେଉଁଥିରେ ଭାରତ ସରକାରଙ୍କ ୩% ଓ ରାଜ୍ୟର ୩% ସାମିଲ ଅଛି। ରାଜ୍ୟ ସରକାର ୪ଟି ସ୍ଲାବରେ ଏହି ଆର୍ଥିକ ସହାୟତା ଯୋଗାଇଦେବେ। ଶୀତଳଭଣ୍ଡାର ନିର୍ମାଣ ପାଇଁ ରାଜ୍ୟ ସରକାର ବିଦ୍ୟୁତ୍‌ ବିଲ୍‌ ଉପରେ ମଧ୍ୟ ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବିଦ୍ୟୁତ୍‌ ବିଲ୍‌ ଉପରେ ୭ ବର୍ଷ ପାଇଁ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯିବ। ବନ୍ଦ ହୋଇ ପଡ଼ିଥିବା ଶୀତଳଭଣ୍ଡାରର ପୁନରୁଦ୍ଧାର ପାଇଁ ମଧ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ପୂର୍ବରୁ ବନ୍ଦ ହୋଇ ପଡ଼ିଥିବା ଶୀତଳଭଣ୍ଡାର ପାଇଁ ନୂତନ ଶୀତଳଭଣ୍ଡାର ଲାଗି ଦିଆଯାଉଥିବା ସମସ୍ତ ଆର୍ଥିକ ସହାୟତା ସହିତ ୧.୫ କୋଟି ଟଙ୍କାର ସ୍ବତନ୍ତ୍ର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ। ଏହାଛଡ଼ା ସରକାରୀ କିମ୍ବା ଜନ ଉପଯୋଗୀ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଶୀତଳଭଣ୍ଡାର ପୁନରୁଦ୍ଧାର ପାଇଁ ବକେୟା ବିଦ୍ୟୁତ୍‌ ବିଲ୍‌, ବକେୟା ଟିକସ, ବକେୟା ବ୍ୟାଙ୍କ ଦେୟ ଲାଗି ମଧ୍ୟ ସ୍ବତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ ବ୍ୟବସ୍ଥା କରାଯିବ। ଶୀତଳଭଣ୍ଡାର ୟୁନିଟ୍‌ଗୁଡ଼ିକ ସମ୍ଭାବ୍ୟ କୃଷି ଉତ୍ପାଦନ କ୍ଲଷ୍ଟର (ଏପିସି) ସହିତ ସଂଲଗ୍ନ କରାଯିବ। ଶୀତଳଭଣ୍ଡାର ସ୍ଥାପିତ ଅଞ୍ଚଳରେ ଏପିସି ସ୍ଥାପନ କରାଯିବ। ସଂରକ୍ଷଣ ଏବଂ ପରିବହନ ସବ୍‌ସିଡି ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ପିଏଚ୍‌ଏମ୍‌ ସ୍କିମ୍‌ ମାଧ୍ୟମରେ ପ୍ରଦାନ କରାଯିବ। ଏକ ନିର୍ଦ୍ଦିଷ୍ଟ ବ୍ଲକରେ ଏକାଧିକ ନୂତନ ଶୀତଳଭଣ୍ଡାର ୟୁନିଟ୍‌ ପ୍ରତିଷ୍ଠା ପାଇଁ ଆବେଦନ କ୍ଷେତ୍ରରେ ଆବେଦନକାରୀ ସରକାରୀଙ୍କଠାରୁ ସର୍ବନିମ୍ନ ସହାୟତା ଲୋଡ଼ିଥିବା ଆବେଦନକାରୀଙ୍କୁ ଚୟନ କରାଯିବ। ଏହି ଯୋଜନା ୨୦୨୫-୨୬ ରୁ୨୦୨୯-୩୦ ପର୍ଯ୍ୟନ୍ତ ୫ ବର୍ଷ ପାଇଁ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୨୫୨ କୋଟି ଟଙ୍କା ପ୍ରଦାନ କରାଯିବ। ଷୋଡ଼ଶ ଅର୍ଥ କମିଶନ ଆସନ୍ତା ଫେବୃୟାରୀ ୫ରୁ ୭ ତାରିଖରେ ଓଡ଼ିଶା ଆସିବେ। ରାଜ୍ୟର ୫ ବର୍ଷର ଯୋଜନା ନେଇ ତାଙ୍କ ପାଖରେ ଦାବି ଉପସ୍ଥାପନ କରାଯିବ। ୧୨ଲକ୍ଷ ୫୬ ହଜାର ୧୪୮କୋଟି ଟଙ୍କାର ଦାବି ଷୋଡ଼ଶ ଅର୍ଥ କମିଶନଙ୍କ ନିକଟରେ ରଖିବା ପାଇଁ ପ୍ରସ୍ତୁତ ବିଭିନ୍ନ ପ୍ରସ୍ତାବ ସମ୍ବଳିତ ମେମୋରାଣ୍ଡମ୍‌କୁ କ୍ୟାବିନେଟ୍‌ ଅନୁମୋଦନ କରିଛି।

ସେହିପରି ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟ ସେବା କ୍ୟାଡରରେ ମେଡିକାଲ ଅଫିସର ନିଯୁକ୍ତି, ପଦୋନ୍ନତି ଓ ସେବା ସର୍ତ୍ତାବଳୀକୁ ନିୟନ୍ତ୍ରଣ ପାଇଁ ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟସେବା ନିୟମାବଳୀ-୨୦୧୭ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର ମାରିଛି। ଏହି ସଂଶୋଧନ ଆଧାରରେ କନିଷ୍ଠ-କ ବର୍ଗ ପାହ୍ୟା ପଦବୀ ପାଇଁ ଆବେଦନ କରିବାବେଳେ ଜଣେ ପ୍ରାର୍ଥୀ ଓଡ଼ିଶା ଡାକ୍ତରୀ ପଞ୍ଜୀକରଣ ଆଇନ-୧୯୬୧ ଅନୁସାରେ ଏକ ବୈଧ ପଞ୍ଜୀକରଣ ପ୍ରମାଣପତ୍ର ହାସଲ କରିବା ଜରୁରୀ। ଏହି ନିୟମର ସଂଶୋଧନ ପରେ କନିଷ୍ଠ-କ ବର୍ଗ ପାହ୍ୟାରେ ୫ହଜାରରୁ ଅଧିକ ଡାକ୍ତରଙ୍କ ଚୟନ ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କୁ ଅନୁରୋଧ କରାଯିବ। ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟସେବା କ୍ୟାଡରରେ ଥିବା ବରିଷ୍ଠ ପ୍ରଶାସନିକ ପଦବୀ ସଂଖ୍ୟା ୨ରୁ ୧୪କୁ ବୃଦ୍ଧି, ଏସ୍‌ଏଜିରେ ପାହ୍ୟାରେ ପଦବୀ ସଂଖ୍ୟା ୧୨ରୁ ୪୫କୁ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି। ଓଡ଼ିଶା ଡାକ୍ତରୀ ସେବା(ଦନ୍ତ ଚିକିତ୍ସକ ଚୟନ ପ୍ରକ୍ରିୟା ଓ ସେବା ସର୍ତ୍ତ) ନିୟମାବଳୀ-୨୦୨୨ରେ ସଂଶୋଧନକୁ ମଧ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛିି। ଏହି ସଂଶୋଧନ ପରେ ୧୦୦ରୁ ଅଧିକ ଦନ୍ତ ଚିକିତ୍ସକ ପଦବୀ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗଙ୍କୁ ଚୟନ ପ୍ରକ୍ରିୟା ପାଇଁ ଅନୁରୋଧ କରାଯିବ। ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନରୁ ସ୍ବାପିଂ ଆଧାରରେ ଗ୍ରୀଡ୍‌କୋକୁ ମିଳିଥିବା ୩୧୦୮.୨୧କୋଟି ଟଙ୍କାର ଦୀର୍ଘ ଅବଧି ଋଣ ପାଇଁ ଶକ୍ତି ବିଭାଗ ଦେଇଥିବା ସରକାରୀ ଗ୍ୟାରେଣ୍ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ଏହାଦ୍ୱାରା ଗ୍ରୀଡ୍‌କୋର ସୁଧହାର ହ୍ରାସ ପାଇବ ଓ ଉପଭୋକ୍ତାଙ୍କ ଉପରେ ବୋଝ କମିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଶକ୍ତି ବିଭାଗ ଦ୍ୱାରା ଗ୍ରୀଡ୍‌କୋକୁ ଦିଆଯାଇଥିବା ୩୧୦୮.୨୧କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟିକୁ ମଧ୍ୟ ପିଛିଲା ଭାବେ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏଥିସହିତ ରାଜ୍ୟ କ୍ୟାବିନେଟରେ ମୋଟ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।