ପଦ୍ମପୁର,୧୩ା୯(ପ୍ରଦୀପ୍ତ ଦାଶ): ଦିନକୁ ଦିନ ପଶୁପକ୍ଷୀ ପ୍ରତି ମଣିଷ ନିଷ୍ଠୁର ହେଉଥିବା ବେଳେ ବରଗଡ଼ ଜିଲା ପଦ୍ମପୁରରେ ଜୀବେ ଦୟାର ଏକ ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ପାରା, ବୁଲାକୁକୁର ଓ ମଣିଷ ମଧ୍ୟରେ ସୃଷ୍ଟି ହୋଇଛି ନିଆରା ବନ୍ଧୁତ୍ୱ। ପ୍ରତିଦିନ ଶହଶହ ସଂଖ୍ୟାରେ ପାରା ଓ ବୁଲାକୁକୁର ଖାଉଛନ୍ତି ଚାଉଳ, ଗହମ। ଖାଇବା ଦେବା ବିଲମ୍ବ ହେଲେ ଘର ବାରଣ୍ଡାକୁ ପଶିଆସନ୍ତି। ପକ୍ଷୀ ହେଉ କି ବୁଲା କୁକୁର ହେଉ ଏମାନଙ୍କ ପ୍ରେମରେ ପଡ଼ିଥିବା ବ୍ୟକ୍ତି ହେଲେ ସାମାଜିକ କର୍ମୀ ନିରୋଜ ଦୋରା।
ପଦ୍ମପୁର -ପାଇକମାଳ ରାସ୍ତାରେ ରହିଛି ତାଙ୍କ ଘର। ସକାଳ ହେବା କ୍ଷଣି ତାଙ୍କ ଘର ପିଣ୍ଡାରେ ଚକ୍କର କାଟନ୍ତି ପାରା ଏବଂ ବୁଲା କୁକୁର। ଖାଦ୍ୟ ଦେବାରେ ବିଳମ୍ବ ହେଲେ ପାରାମାନେ ସିଧା ତାଙ୍କର ବାରଣ୍ଡାକୁ ପ୍ରବେଶ କରୁଥିବା କହନ୍ତି ନିରୋଜ। ପରେ ସେ ଘର ପିଣ୍ଡାକୁ ଆସି ଖୁବ୍ଆଗ୍ରହର ସହିତ ପାରାମାନଙ୍କୁ ନିଜ ହାତରେ ଖାଦ୍ୟ ଦେଇଥାନ୍ତି, ପର୍ଯ୍ୟାୟ କ୍ରମେ ଖାଦ୍ୟ ଗ୍ରହଣ କରି ବିଭିନ୍ନ କୋଣ ଅନୁକୋଣକୁ ଉଡ଼ିଯାଇଥାନ୍ତି। ଏମାନଙ୍କୁ ପ୍ରତିଦିନ ଖାଦ୍ୟ ଦେବାକୁ ନିଜର ପେନ୍ସନ୍ ଟଙ୍କା ବ୍ୟୟ କରିଥାନ୍ତି। ସେହିପରି ସକାଳୁ ଓ ସନ୍ଧ୍ୟାରେ ବୁଲାକୁକୁର ମଧ୍ୟ ରୁଟି କିମ୍ବା ବିସ୍କୁଟ ପାଇଁ ଜଗି ରହିଥାଆନ୍ତି। ତେବେ ଦୋରା ନିଜ ଚାକିରିରୁ ଅବସରଗ୍ରହଣ ପରେ ପଶୁପକ୍ଷୀଙ୍କ ସହିତ ଏହି ନିବିଡ ସମ୍ପର୍କ ଗଢି ଉଠିଛି । ଦୋରା କୁହନ୍ତି, ମଣିଷ ପରି ପଶୁପକ୍ଷୀଙ୍କ ମଧ୍ୟ ଜୀବନ ରହିଛି। ସମସ୍ତଙ୍କୁ ବଞ୍ଚିବା ପାଇଁ ଭଗବାନ ସୃଷ୍ଟି କରିଛନ୍ତି। ଯିଏ ଯେତେ ପାରିଲା ଜୀବନ ଥିବା ଯାଏ ସାହାଯ୍ୟ କରିବା କଥା ବୋଲି ଏହି ବଦାନ୍ୟ ବ୍ୟକ୍ତି କହିଛନ୍ତି।