ସାକ୍ଷୀଗୋପାଳରେ ନିଆରା ନଡ଼ିଆ ଲଢ଼େଇ

ସାକ୍ଷୀଗୋପାଳ,୯ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଗହ୍ମାପୂର୍ଣ୍ଣିମା ଉପଲକ୍ଷେ ସାକ୍ଷୀଗୋପାଳ ଅଞ୍ଚଳରେ ନଡ଼ିଆ ଲଢ଼େଇ ପ୍ରତିଯୋଗିତା ଏକ ନିଆରା ପରମ୍ପରା ଭାବରେ ପାଳିତ ହେଉଛି। ନଡ଼ିଆ ହୁଳ ଅଞ୍ଚଳ ସାକ୍ଷୀଗୋପାଳର ନଡ଼ିଆ ଲଢ଼େଇ ପରମ୍ପରା ଶହଶହ ବର୍ଷର ପୁରୁଣା। ଏହି ପ୍ରତିଯୋଗିତାରେ ଅଞ୍ଚଳର ଯୁବପିଢ଼ି ଅଂଶଗ୍ରହଣ କରିଥାନ୍ତି। ସାକ୍ଷୀଗୋପାଳ ମନ୍ଦିର ଦୋଳବେଦୀ ଛକ, ବସ୍‌ଷ୍ଟାଣ୍ଡ, ବନପୁର, ଅଳଗୁମ, କାଦୁଆ, ଶ୍ରୀରାମଚନ୍ଦ୍ରପୁର,ରାହାଙ୍ଗ ଛକ, ପଟ୍ଟନାୟିକିଆ, ବାଲିସାହି, ହରିଆବୁା ମନ୍ଦିର, ବରାଳ ବାଲୁଙ୍କେଶ୍ବର ମନ୍ଦିର, ବଳପୁର, ଆନନ୍ଦପୁର, ସାରଙ୍ଗଯୋଡ଼ି, ଗବକୁଣ୍ଡ ଆଦି ବିଭନ୍ନ ଗ୍ରାମ ଓ ବଜାର ଛକଗୁଡ଼ିକରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ପ୍ରତିଯୋଗୀଙ୍କ ସହିତ ଦର୍ଶକମାନଙ୍କର ଭିଡ଼ ବେଶ ପରିଲକ୍ଷିତ ହୋଇଥିଲା। ହାତରେ ରାଖୀ ବାନ୍ଧି ଯୁବକମାନେ ଲଢ଼େଇ ନଡ଼ିଆ ସହ ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ପୂର୍ବରୁ ଏହି ପାରମ୍ପରିକ ପ୍ରତିଯୋଗିତା ପାଇଁ ସ୍ବତନ୍ତ୍ର ନଡ଼ିଆ ଚୟନ କରାଯାଥାଏ। ମୋଟା ଓ ଟାଣ ଷଡ଼େଇ ନଡ଼ିଆଗୁଡିକ ଏକାଧିକ ନଡ଼ିଆ ଭାଙ୍ଗିବାରେ ସକ୍ଷମ ହୋଇଥାଏ। ଏହି ନଡ଼ିଆଗୁଡ଼ିକ ଆଖି ପାଖରୁ କିଛି ଅଂଶ ଷଡ଼େଇ ଟାଣ ହୋଇଥାଏ। ଯାହା ଫଳରେ ଉକ୍ତ ନଡ଼ିଆକୁ ମାଡ଼ ଦେଲେ ମଧ୍ୟ ନଡ଼ିଆଟି ସହଜରେ ଭାଙ୍ଗେ ନାହିଁ। ଆଗ୍ରହୀ ଯୁବକମାନେ ବିଭିନ୍ନ ଅଞ୍ଚଳରୁ ବଛାବଛା ଲଢ଼େଇ ନଡ଼ିଆ ସଂଗ୍ରହ କରିଥାନ୍ତି। ଏହି ନଡ଼ିଆଗୁଡିକ ଅନ୍ୟ ସାଧାରଣ ନଡ଼ିଆଠାରୁ ଅଧିକ ଦର ହୋଇଥାଏ। ମୁଖ୍ୟତଃ ଦୁଇଜଣ ଲେଖାଏ ପ୍ରତିଯୋଗୀ ଲଢ଼େଇ କରନ୍ତି। କେଉଁଠି କେଉଁଠି ନଡ଼ିଆ ହାତରେ ଧରି ମାଡ଼ କରୁଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଅଳ୍ପଦୁରରୁ ଗୋଟିଏ ନଡ଼ିଆକୁ ଲକ୍ଷ୍ୟ କରି ଅନ୍ୟ ନଡ଼ିଆଟି ଫିଙ୍ଗା ଯାଇଥାଏ। ନଡ଼ିଆକୁ ନଡ଼ିଆ ମାଡ଼ ହୋଇ ଯେଉଁ ନଡ଼ିଆ ଭାଙ୍ଗି ଯାଇଯାଏ ସେହି ନଡ଼ିଆଟି ଭାଙ୍ଗିଥିବା ପ୍ରତିଯୋଗୀର ପ୍ରାପ୍ୟ ହୋଇଥାଏ। ପ୍ରତିଯୋଗୀମାନେ ସଂଗ୍ରହ କରୁଥିବା ଭଙ୍ଗା ନଡ଼ିଆ ଘରକୁ ନେଇ ନଡ଼ିଆ ତେଲ ପ୍ରସ୍ତୁତ ସହିତ ନାନାପ୍ରକାର ପିଠା ଓ କୋରା ପ୍ରସ୍ତୁତ କରନ୍ତି।