ଭୁବନେଶ୍ୱର,୩୧ା୧୦(ରବିନାରାୟଣ ଜେନା): ସାରା ଦେଶରେ ପୋଲିସ ସେବାରେ କାର୍ଯ୍ୟରତ କନଷ୍ଟେବଲଙ୍କଠାରୁ ଆରମ୍ଭ କରି ଡିଏସ୍ପିଙ୍କ ପର୍ଯ୍ୟନ୍ତ ଗୋଟିଏ ପ୍ରକାର ପୋଷାକ ପିନ୍ଧିବେ। କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନିଷ୍ପତ୍ତିକ୍ରମେ ମଙ୍ଗଳବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏସ୍ପି କେ.ଏଲ. ପୁରୀ ଓଡ଼ିଶା ସମେତ ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୋଲିସ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି।
ପୁରୀ ପତ୍ରରେ ଦର୍ଶାଇଛନ୍ତି, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ଏକକ ଡ୍ରେସ୍ କୋଡ୍(ୟୁନିଫର୍ମ) ନୀତି ଆପଣା ଯିବାକୁ ନିଷ୍ପତ୍ତି ହୋଇଛି। ଏହାକୁ ନେଇ ୨୦୨୫ ମେ’୨୨ରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପୋଲିସ ମହାନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ମନ୍ତ୍ରଣାଳୟ ପକ୍ଷରୁ ଲୋଡ଼ା ଯାଇଥିବା ତଥ୍ୟ ମିଳିନାହିଁ। ଏହିକ୍ରମରେ ଆସନ୍ତା ନଭେମ୍ବର ୪ ତାରିଖ ସୁଦ୍ଧା ମନ୍ତ୍ରଣାଳୟ ପକ୍ଷରୁ ଲୋଡ଼ା ଯାଇଥିବା ତଥ୍ୟ ତୁରନ୍ତ ପ୍ରଦାନ କରିବାକୁ ହେବ। ସେଥିମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କେତେ ପରିମାଣର ଡ୍ରେସ୍ ଆବଶ୍ୟକ ତାହା ଜଣାଇବାକୁ ହେବ। ଏହାସହିତ ବର୍ତ୍ତମାନ କନଷ୍ଟେବଲଙ୍କଠାରୁ ଆରମ୍ଭ କରି ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ(ଡିଏସ୍ପି) ପର୍ଯ୍ୟନ୍ତ କର୍ମଚାରୀ ଓ ଅଧିକାରୀଙ୍କୁ କେତେ ଲେଖାଏ ଆଲାଉନ୍ସ ପ୍ରଦାନ କରାଯାଉଛି ତାହାର ବିବରଣୀ ଦେବାକୁ ହେବ। ବିଶେଷକରି ଗୋଟିଏ ହଳ ପୋଷାକ ପାଇଁ ହାରାହାରି କେତେ ଟଙ୍କା ପଡୁଛି ତାହା ଜଣାଇବାକୁ ମନ୍ତ୍ରଣାଳୟ ପକ୍ଷରୁ ଏସ୍ପି ପତ୍ରରେ ଦର୍ଶାଇଛନ୍ତି। ତେବେ ସାରା ଦେଶରେ ଏହି ଏକକ ପୋଷାକ ନୀତି କାର୍ଯ୍ୟକାରୀ ହେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାବେଳେ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ତଥ୍ୟ ମଗାଯାଇଛି। ସେଥିମଧ୍ୟରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଗୋଆ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କେରଳ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ଓଡ଼ିଶା, ସିକ୍କିମ, ତେଲଙ୍ଗାନା, ତ୍ରିପୁରା, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ରହିଛି।