ବେକାରୀ ସମସ୍ୟା ଦୂର ପାଇଁ ଜିଲା ନିଯୁକ୍ତି କାର୍ଯ୍ୟାଳୟର ପ୍ରୟାସ, ନିଯୁକ୍ତି ପାଇବେ…

ଦାରିଙ୍ଗବାଡ଼ି,୨୩ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବେକାର ଯୁବତୀଯୁବକଙ୍କୁ କର୍ମ ନିଯୁକ୍ତି ପାଇଁ ଜିଲା ଦକ୍ଷତା ବୃଦ୍ଧି ତଥା ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ପ୍ରୟାସ ଜୋରଦାର କରାଯାଇଛି। ଜିଲାରେ ରହିଥିବା ସମସ୍ତ ୧୨ ଟି ବ୍ଲକ ଅଞ୍ଚଳରେ ସିକ୍ୟୁରିଟି କର୍ମଚାରୀ ଭାବେ ନିଯୁକ୍ତି ପାଇଁ ପ୍ରୟାସ କରାଯାଉଥିବା ବେଳେ ଏଥିପାଇଁ ଜିଲାରୁ ସମସ୍ତ ବ୍ଲକର ବିଡିଓମାନଙ୍କୁ ଚିଠି ହୋଇଥିବା ଜଣାପଡ଼ିଛି। ସେହିକ୍ରମରେ ଆସନ୍ତା ବୁଧବାର ୨୯ ତାରିଖରେ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ସିକ୍ୟୁରିଟି କର୍ମଚାରୀ ଚୟନ ପ୍ରକ୍ରିୟା କରାଯିବ। ଏଥିପାଇଁ ଏସ୍‌ଆଇଏସ୍‌ (ସିକ୍ୟୁରିଟି ଆଣ୍ଡ ଇଣ୍ଟେଲିଜେଣ୍ଟ ସର୍ଭିସର ଟିମ୍‌ ଏହି ଶିବିରକୁ ପରିଚାଳନା କରିବେ। ବିଡିଓ ପ୍ରୀତିରଞ୍ଜନ ରଥଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ଜୀବିକା ମିଶନର ବିପିଏମ୍‌ ପିଣ୍ଟୁ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା କହିଛନ୍ତି। ଏଥିପାଇଁ ସେ ସିକ୍ୟୁରିଟି ଇନ୍ସପେକ୍ଟର ବିଶ୍ୱଜିତ ସ୍ବାଇଁଙ୍କ ସହ ବ୍ଲକ କାର୍ଯ୍ୟାଳୟରେ ନିଯୁକ୍ତି ପାଇଁ ଶିବିରର ଆୟୋଜନ ସମ୍ପର୍କିତ ଆଲୋଚନା କରି ପ୍ରସ୍ତୁତି ଚଳାଇଥିବା କହିଛନ୍ତି। ଅଞ୍ଚଳରୁ ଶତାଧିକ ଯୁବଗୋଷ୍ଠୀ ବିଶେଷ କରି ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ କିମ୍ବା ଫେଲ୍‌ ଛାତ୍ରୀଛାତ୍ର ୧୯ରୁ ୪୦ବର୍ଷ ବୟସ ସୀମା ରହିଥିବା ଯୋଗ୍ୟ ହିତାଧିକାରୀ ଏହି ଶିବିରରେ ଯୋଗଦାନ କରିବେ ବୋଲି ଜଣାପଡ଼ିଛି। ଏହି ଶିବିର ଜିଲାରେ ୨୭ରେ ତୁମୁଡିବନ୍ଧ ବ୍ଲକରୁ ଆରମ୍ଭ ହୋଇ ୨୮ରେ କୋଟଗଡ଼, ୨୯ ଦାରିଙ୍ଗବାଡ଼ି, ୩୦ରେ ବାଲିଗୁଡ଼ା ଏବଂ ୩୧ରେ କ. ନୂଆଗାଁରେ ଶିବିର ଆୟୋଜନ ସହ ଅକ୍ଟୋବର ୧ଠାରୁ ୧୦ ପର୍ଯ୍ୟନ୍ତ ଅନ୍ୟ ବ୍ଲକଗୁଡ଼ିକରେ ଶିବିରର ଆୟୋଜନ ହେବ ବୋଲି ସିକ୍ୟୁରିଟି ଇନ୍ସପେକ୍ଟର ବିଶ୍ୱଜିତ୍‌ ସ୍ବାଇଁ କହିଛନ୍ତି।

Dharitri – The Largest & Most Trusted Odia Daily

Share