୪ ବର୍ଷର ଶିଶୁ କନ୍ୟାଙ୍କୁ  ଚକଲେଟ ଓ ଚିପ୍ସ ଦେଇ  ନିର୍ମାଣାଧୀନ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବଳାତ୍କାର କରି ହତ୍ୟା କରିଥିଲେ ମାମୁ:  ବାନ୍ଧିଲା ପୋଲିସ

ଦିଗପହଣ୍ଡି, ଛତ୍ରପୁର,୨୭।୪(ଅଶେଷ ନାଥ ମିଶ୍ର/ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ଲଜ୍ଜ୍ୟାଜନକ ହୃଦୟବିଦାରକ ଘଟଣା ଘଟିଛି। ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଥିବା ଜଣେ ୪ ବର୍ଷର ଶିଶୁକନ୍ୟାଙ୍କ କ୍ଷତାକ୍ତ ମୃତଦେହ ଶନିବାର ସକାଳେ ପାଟପୁର ପୋଲିସ ଜବତ କରି ଛାନଭି୍‌ନ ଚଳାଇଛି। ତାଙ୍କୁ ବଳାତ୍କାର ପରେ ଜଘନ୍ୟ ଭାବେ ହତ୍ୟା କରାଯାଇଥିବା ଗ୍ରାମବାସୀ ପୋଲିସକୁ କହିଛନ୍ତି। ମୃତକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମର ଅଶୋକ ସ୍ବାଇଁଙ୍କ ଝିଅ।
ତେବେ ଶିଶୁକନ୍ୟାଟିକୁ ତାର ମାମୁ ବଳାତ୍କାର ପରେ ହତ୍ୟା କରିଥିବା ରବିବାର ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।  ଉକ୍ତ ବଲାତ୍କାରୀ ଓ ହତ୍ୟାକାରୀ ମାମୁଙ୍କୁ ପୋଲିସ ଗିରଫ କରିଛି  ଗିରଫ ଜଣଙ୍କ ହେଲେ ଖଲିଙ୍ଗି ଗାଁର କାଳିଆ ଓରଫ ଷଣ୍ଡ ନାହାକ (୨୭)। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ୧୮ ତାରିଖରୁ ଚାଲିଥିବା ଯାତ୍ରା ଦେଖିବାକୁ ଶିଶୁକନ୍ୟା ଜଣକ ମା’ଙ୍କ ସହ ନିଜ ଗାଁ ମହାନଳାରୁ ଅଜା ଘର ଖଲିଙ୍ଗି ଗାଁକୁ ଯାଇଥିଲେ। ଶୁକ୍ରବାର ଥିଲା ଯାତ୍ରାର ଉଦ୍‌ଯାପନୀ ଦିବସ। ସନ୍ଧ୍ୟାରେ ଶିଶୁକନ୍ୟା ଜଣକ ଘର ନିକଟରେ ସାଙ୍ଗସାଥୀଙ୍କ ସହ ଖେଳୁଥିବା ବେଳେ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ। ପୋଲିସର କହିବାନୁଯାୟୀ ଶିଶୁକନ୍ୟା ତଥା ଭାଣିଜୀଙ୍କୁ ଚକଲେଟ ଓ ଚିପ୍ସ ଦେଇ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନିକଟ ନିର୍ମାଣାଧୀନ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ମାମୁଁ କାଳିଆ ନେଇଥିଲା। ସେଠାରେ କାଳିଆ ତାକୁ ବଳାତ୍କାର ଓ ପରେ ହତ୍ୟା କରିଥିଲା। ନିଖୋଜ
ସମ୍ପର୍କରେ ଖବର ଦିଆଯିବା ପରେ ପାଟପୁର ପୋଲିସ ଟିମ୍‌ ଗାଁରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଥିଲେ। ଶନିବାର ସକାଳେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନିକଟ ନିର୍ମାଣାଧୀନ ଅଙ୍ଗନଓ୍ବାଡ଼ି କେନ୍ଦ୍ର ମଧ୍ୟରୁ ଶିଶୁକନ୍ୟାଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା।

Share