ରାମଚଣ୍ଡୀ ନୂତନ ମନ୍ଦିର ନିର୍ମାଣକୁ ନେଇ ଅନିଶ୍ଚିତତା: ସରକାର ବଦଳିବା ପରେ କେବଳ ମନ୍ଦିର ନବୀକରଣରେ…

ମହାକାଳପଡ଼ା,୯ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ରାମନଗର ମୌଜାରେ ପ୍ରମୁଖ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ରହିଛି। ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ମନ୍ଦିରକୁ ସୁଉଚ୍ଚ ଭବ୍ୟ ନୂତନ ମନ୍ଦିର ନିର୍ମାଣ ପାଇଁ ୨୦୨୩ରେ ପୂର୍ବ ସରକାର ୬ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ। ଏବେ ନୂତନ ମନ୍ଦିର ନିର୍ମାଣରେ ଅନିଶ୍ଚିତତା ଦେଖାଦେଇଛି। ସରକାର ବଦଳିବା ପରେ କେବଳ ମନ୍ଦିର ଚତୁଃପାର୍ଶ୍ୱର ନବୀକରଣରେ ୩ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି। ସେହିପରି ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ହେଲେ ମା’ଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ୬ କୋଟି ଟଙ୍କା ବ୍ୟୟବରାଦ ରହିଛି। ସେହିପରି ରାଜସ୍ଥାନର ଖଣ୍ଡୋଲାଇଟ୍‌ ପଥର ଓ ମୟୂରଭଞ୍ଜ ଜିଲା ଖିଞ୍ଚତ୍ଂର ମୁଗୁନି ପଥରରେ ଖୋଦିତ ଲାଖଅଠା ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ମନ୍ଦିର ନିର୍ମିତ ହେବ ବୋଲି ଏଷ୍ଟିମେଟ୍‌ ରହିଛି। ହେଲେ ଏପର୍ଯ୍ୟନ୍ତ ଭବ୍ୟ ମନ୍ଦିର ନିର୍ମାଣ ହେଉ ନ ଥିବାରୁ ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ସାମାଜିକ କର୍ମୀ ଓ ଶ୍ରଦ୍ଧାଳୁମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ମାସେ ପରେ ମା’ଙ୍କ ମୁଖ୍ୟ ପର୍ବ ବୈଶାଖ ମାସ ପଣା ସଂକ୍ରାନ୍ତି ଝାମୁଯାତ୍ରା ହେବାର କାର୍ଯ୍ୟକ୍ରମ ରହିଛି ବୋଲି ମା’ ରାମଚଣ୍ଡୀ ଆଞ୍ଚଳିକ ସେନା ପକ୍ଷରୁ କୁହାଯାଇଛି। ମନ୍ଦିର ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ପକ୍ଷରୁ ଏଣ୍ଡାଓମେଣ୍ଟ କମିଟି ଗଠନ କରାଯାଇଥିଲା। ଏହାର ଅବଧି ସରି ଯାଇଥିବା ବେଳେ ନୂଆ କମିଟି ଗଠନ କରିବାରେ ଆନ୍ତରିକତା ଅଭାବ ଯୋଗୁ ଘୁଞ୍ଚତ୍ ଘୁଞ୍ଚତ୍ ଚାଲିଛି। ଅଦ୍ୟାବଧି ମଧ୍ୟବର୍ତ୍ତିକାଳୀନ ଟ୍ରଷ୍ଟି ଭାବେ ମହାକାଳପଡ଼ା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟ ଦାୟିତ୍ୱ ନିର୍ବାହ କରୁଛନ୍ତି। ନୂଆ ମନ୍ଦିର ନିର୍ମାଣ ସମ୍ପର୍କରେ ତହସିଲଦାର ଆଚାର୍ଯ୍ୟଙ୍କୁ ପଚାରିବାରେ ନୂଆ କରି ଆସିଛି, ଏ ସମ୍ପର୍କରେ ଜାଣିନାହିଁ ବୋଲି କହିଥିଲେ।
ସୂଚନାଯୋଗ୍ୟ, ମା’ ରାମଚଣ୍ଡୀ ମନ୍ଦିର ୧୭୩୭ ମସିହାରେ କୁଜଙ୍ଗ ଷଣ୍ଢ ବଂଶୀୟ ରାଜା ନିର୍ମାଣ କରିଥିଲେ ବୋଲି କିମ୍ବଦନ୍ତୀ ରହିଛି। ସେବେଠାରୁ ଦୋଳ ମେଳଣରେ ମା’ ରାମଚଣ୍ଡୀଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ଦୋଳ ବିମାନ କୁଜଙ୍ଗ ରାଜାଙ୍କ ଅଧିଷ୍ଠାତ୍ରୀ ଦେବୀ ରୂପେ ଅଗ୍ରଜ ଭାବରେ ପୂଜା ପାଉଛନ୍ତି। ମା’ଙ୍କ ମନ୍ଦିରରେ ମୁଖ୍ୟ ଭୋଗ ଆମିଷ ଅର୍ପଣ କରିବା ବିଧି ରହିଛି। ଦିନଥିଲା ମା’ଙ୍କ ମନ୍ଦିରରେ ବଳି ଦେବାର ପ୍ରଥା ଥିଲା। ଆଇନ ଅନୁସାରେ ପ୍ରଶାସନ ପକ୍ଷରୁ ବଳି ପ୍ରଥାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ମନ୍ଦିର ପରିଚାଳନା ପାଇଁ ୨ ଶହ ଏକର ଜମି ଖଞ୍ଜାଯାଇଛି। ମା’ଙ୍କ ସେବକ, ସେବାୟତ, ହୁରିଆ କୀର୍ତ୍ତନ ମଣ୍ଡଳୀ, ବାରିକ, ଘାତକ (ଲୋଧା ସମ୍ପ୍ରଦାୟ), ପୁଷ୍ପାଳକ, ଟହଲିଆ, ଘଣ୍ଟୁଆ, ପାଟୁଆ, ରାଉଳ ଆଦିଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ମା’ ଙ୍କ ମୁଖ୍ୟ ପର୍ବ ବୈଶାଖ ମାସ ପଣା ସଂକ୍ରାନ୍ତିରେ ଝାମୁଯାତ୍ରା ହୋଇଥାଏ।

Dharitri – Odisha’s No.1 Odia Daily

Share