ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଗୁରୁବାର ଠାରୁ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ଦେବା ପାଇଁ ଗୌତମଙ୍କୁ ଆଡମିଟ କାର୍ଡ ମିଳିଛି । ୫୦ ପ୍ରତିଶତ ଦିବ୍ୟାଙ୍ଗ ଥିବା ନେଇ ତାଙ୍କ ସାର୍ଟିଫିକେଟ ରହିଛି । ସେ ସଠିକ ଭାବେ ଲେଖି ପାରୁନଥିବା କାରଣରୁ ତାଙ୍କ ତରଫରୁ କିଏ ଲେଖିବେ ଉତ୍ତର ଖାତା ତାହାକୁ ନେଇ ମଙ୍ଗଳବାର ସୁଦ୍ଧା କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇପାରିନଥିବା ଗୌତମଙ୍କ ବାପା ଭଗବାନ ମହାନ୍ତି କ୍ଷୋଭର ସହ କହିଛନ୍ତି ।
ଏନେଇ ପୂର୍ବରୁ ସେ ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ଏଯାଏଁ ତାଙ୍କ ପୁଅ ପାଇଁ କିଏ ପରୀକ୍ଷା ହଲ ରେ ବସିବେ ସେ ନେଇ ଜାଣିନଥିବା ଉଲ୍ଲେଖ କରିଛନ୍ତି । ବୋର୍ଡ କର୍ତ୍ତୃପକ୍ଷଙ୍କ ନିୟମ ଅନୁସାରେ ଯେଉଁ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ଲେଖି ପାରୁନାହାନ୍ତି ସେମାନଙ୍କ ନିମନ୍ତେ ନିମ୍ନ ଶ୍ରେଣୀର ଜଣେ ଛାତ୍ରୀ କିମ୍ବା ଛାତ୍ର ପରୀକ୍ଷା ହଲରେ ବସି ସେ କହିବା ପ୍ରକାରେ ଉତ୍ତର ଲେଖିବା ନିୟମ ରହିଛି। ଏନେଇ ପ୍ରଧାନଶିକ୍ଷୟତ୍ରୀ ପ୍ରତିମା ରଇତଙ୍କୁ ଯୋଗାଯୋଗ କରିବାରୁ ସେ ଏନେଇ ଗଞ୍ଜାମ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇଥିବା କହିଛନ୍ତି ।
ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀଙ୍କୁ ପଚାରିବାରୁ ଗୌତମ ପଢୁଥିବା ହାଇସ୍କୁଲର ପରୀକ୍ଷାକେନ୍ଦ୍ରରେ ସେ ପରୀକ୍ଷା ଦେବେ । ତାଙ୍କ ପାଇଁ ପରୀକ୍ଷା ହଲରେ ବସିବାକୁ ଜଣେ ନିମ୍ନ ଶ୍ରେଣୀର ଛାତ୍ରଙ୍କୁ ଚୟନ କରାଯାଇଛି । ଚିହ୍ନଟ ପାଇଁ ତାଙ୍କ ଆଧାର କାର୍ଡ ଓ ସ୍କୁଲ ପରିଚୟପତ୍ର ନକଲ ସଂଗ୍ରହ କରାଯାଇଛି । ନିୟମ ପ୍ରକାରେ ଉତ୍ତର ଲେଖିବା ପାଇଁ ତାଙ୍କୁ ଘଣ୍ଟା ପ୍ରତି ୨୦ ମିନିଟ ହିସାବକୁ ନେଇ ୫୦ ମିନଟ ଅତିରିକ୍ତ ସମୟ ଦିଆଯିବ। ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ଏବଂ ପରୀକ୍ଷା ନିୟନ୍ତ୍ରକଙ୍କ ତତ୍ତ୍ଵାବଧାନରେ ପରୀକ୍ଷା କାର୍ଯ୍ୟ ଶୃଙ୍ଖଳାରେ କରାଯିବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିବା ସେ କହିଛନ୍ତି ।