Categories: Uncategorized

ଅବିଶ୍ୱସନୀୟ…ବୈଭବଙ୍କ ଇନିଂସ ଦେଖି ଆଶ୍ଚର୍ଯ୍ୟ ସୂର୍ଯ୍ୟକୁମାର, କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୨୫।୧୧: କ୍ରିକେଟ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଭାରତର ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ। ଏସିସି ରାଇଜିଂ ଷ୍ଟାର୍ସ ଏସିଆ କପ ୨୦୨୬ରେ ୟୁଏଇ-ଏ ବିପକ୍ଷରେ ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ରନ୍‌ର ବର୍ଷା। ମାତ୍ର ୫୩ ବଲ୍‌ରେ ୨୦୪ ରନ କରି ସେ ଲିଷ୍ଟ-ଏ କ୍ରିକେଟ୍‌ର ଅନେକ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ତାଙ୍କର ଏହି ଐତିହାସିକ ପାଳି ଦେଖି ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ନିଜକୁ ପ୍ରଶଂସା କରିବାରୁ ଅଟକାଇ ପାରିନାହାନ୍ତି।

ମଙ୍ଗଳବାର ଦୋହାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବୈଭବ ଆରମ୍ଭରୁ ଆକ୍ରମଣାତ୍ମକ ମନୋଭାବ ଦେଖାଇଥିଲେ। ମାତ୍ର ୨୮ଟି ବଲ୍‌ରେ ଶତକ ପୂରଣ କରି ସେ ଅଷ୍ଟ୍ରେଲିଆର ଜେକ ଫ୍ରେଜର-ମ୍ୟାକଗର୍କଙ୍କ ୨୯ ବଲ୍‌ରେ ଶତକ ରେକର୍ଡକୁ ପଛରେ ପକାଇଥିଲେ। ଏହାପରେ ମାତ୍ର ୪୦ ବଲ୍‌ରେ ୧୫୦ ରନ ପୂରଣ କରିଥିଲେ। ଗତବର୍ଷ ବିହାର ପକ୍ଷରୁ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୫୯ ବଲ୍‌ରେ ୧୫୦ ରନ କରିଥିଲେ ବୈଭବ। ହେଲେ ଏଥର ସେହି ମାଇଲଖୁଣ୍ଟକୁ ୧୯ ବଲ ପୂର୍ବରୁ ହାସଲ କରି ନିଜର ପୁରୁଣା ରେକର୍ଡକୁ ନିଜେ ଭାଙ୍ଗିଛନ୍ତି।

ବୈଭବଙ୍କ ବ୍ୟାଟିଂର ସବୁଠାରୁ ବଡ଼ ଆକର୍ଷଣ ଥିଲା ତାଙ୍କର ଦ୍ୱିଶତକ। ମାତ୍ର ୫୨ ବଲ୍ରେ ସେ ୨୦୦ ରନ ପୂରଣ କରିଥିଲେ। ଏହା ପୂର୍ବରୁ ଲିଷ୍ଟ-ଏ କ୍ରିକେଟରେ ଦ୍ରୁତତମ ଦ୍ୱିଶତକ ରେକର୍ଡ ନ୍ୟୁଜିଲାଣ୍ଡର ଚାଡ ବୋୱେସଙ୍କ ନାମରେ ଥିଲା। ସେ ଫୋର୍ଡ ଟ୍ରଫିରେ କ୍ୟାଣ୍ଟରବରୀ ପକ୍ଷରୁ ଓଟାଗୋ ବିପକ୍ଷରେ ୧୦୩ ବଲ୍‌ରେ ଦ୍ୱିଶତକ ହାସଲ କରିଥିଲେ।

ବୈଭବ ନିଜ ପାଳିରେ ୭ଟି ଚୌକା ଓ ୨୮ଟି ଛକା ମାରିଥିଲେ। ଲିଷ୍ଟ-ଏ କ୍ରିକେଟର ଗୋଟିଏ ପାଳିରେ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ ଏବେ ତାଙ୍କ ନାମରେ ରହିଛି। ଏହା ପୂର୍ବରୁ ୨୦୧୮ରେ ଡାର୍ସି ସର୍ଟ ୨୩ଟି ଛକା ମାରି ଏହି ରେକର୍ଡ କରିଥିଲେ। ବୈଭବଙ୍କ ଏହି ଅବିଶ୍ୱସନୀୟ ପ୍ରଦର୍ଶନରେ ଭାରତୀୟ ଖେଳାଳିମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ଟି-୨୦ ବିଶ୍ୱକପ ବିଜେତା ଅଧିନାୟକ ସୂର୍ଯ୍ୟକୁମାର ଯାଦବ ‘ଏକ୍ସ’ରେ ଲେଖିଛନ୍ତି, ‘ବୈଭବ ସୂର୍ଯ୍ୟବଂଶୀ, ଏବେ ତୁମେ ମୋ ପ୍ରେରଣା ପାଲଟିଗଲ। କି ଚମତ୍କାର ଖେଳାଳି!’

ବୈଭବଙ୍କ ଏହି ଐତିହାସିକ ପାଳିକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର୍‌ ସୁରେଶ ରୈନା ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏତେ କମ ବୟସରେ ଦ୍ୱିଶତକ ହାସଲ କରିବା ବୈଭବଙ୍କ ନିର୍ଭୀକ ମନୋଭାବ ଓ ଅସାଧାରଣ ପ୍ରତିଭାର ପରିଚୟ। ବଡ଼ ସ୍ବପ୍ନ ଦେଖି ଆଗକୁ ବଢ଼ିଚାଲ।

ସେହିପରି ପୂର୍ବତନ କ୍ରିକେଟର୍‌ ମହମ୍ମଦ କୈଫ କହିଛନ୍ତି, ମାତ୍ର ୫୩ ବଲ୍ରେ ୨୦୪ ରନ ଓ ୨୮ଟି ଛକା। ବୈଭବ କେବଳ ରେକର୍ଡ ଭାଙ୍ଗୁନାହାନ୍ତି, ବରଂ କ୍ରିକେଟ ଇତିହାସକୁ ନୂଆ ରୂପ ଦେଉଛନ୍ତି। ସେହିପରି ଏସ. ବଦ୍ରିନାଥ ମଧ୍ୟ ବୈଭବଙ୍କ ପ୍ରଦର୍ଶନକୁ ଅବିଶ୍ୱସନୀୟ ବୋଲି କହିଛନ୍ତି। ମାତ୍ର ୧୫-୧୬ ବର୍ଷ ବୟସରେ ବୈଭବଙ୍କ ଏଭଳି ପ୍ରଦର୍ଶନ ତାଙ୍କୁ ଭାରତୀୟ କ୍ରିକେଟ୍ର ଚର୍ଚ୍ଚିତ ଯୁବ ପ୍ରତିଭା ଭାବେ ପରିଚିତ କରାଇଛି। ଏବେ ତାଙ୍କ ପରବର୍ତ୍ତୀ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର।