ଭଞ୍ଜନଗର,୩ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗାଲେରୀର ରବୀନ୍ଦ୍ର ନାୟକ (୨୯) ଶୁକ୍ରବାର ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆର୍ଥିକ ଅନଟନ ସହ୍ୟ କରି ନ ପାରି ସେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ଖବର ପାଇ ଗାଲେରୀ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଭଞ୍ଜନଗର ମେଡିକାଲକୁ ପଠାଇଛି। ଆଜି ରାତି ହୋଇଯାଇଥିବାରୁ ଶନିବାର ମୃତଦେହ ବ୍ୟବଚ୍ଛେଦ ହେବ। ରବୀନ୍ଦ୍ରଙ୍କ ଆତ୍ମହତ୍ୟାର ଆଉ କିଛି କାରଣ ମଧ୍ୟ ଥିବା ଆଶଙ୍କା କରାଯାଉଛି । ପୋଲିସ ଆତ୍ମହତ୍ୟାର ପ୍ରକୃତ ରହସ୍ୟ ଖୋଜୁଛି।
ଘଟଣାରୁ ପ୍ରକାଶ ଯେ, ରବୀନ୍ଦ ଦାଦନ ଶ୍ରମିକ ଭାବେ ତାମିଲନାଡୁ ଯାଇ କାମ କରୁଥିଲେ। ଇତିମଧ୍ୟରେ ସେ ଗ୍ରାମକୁ ଆସି କିଛି ମାସ ହେବ ରହୁଥିଲେ। ଏହି ସମୟରେ ସେ କୌଣସି କାରଣରୁ ବିଭିନ୍ନ ଲୋକଙ୍କ ଠାରୁ ଧାର ଉଧାର ଆଣି ପରିବାର ଚଳାଉଥିଲେ। ବର୍ତ୍ତମାନ ଦଶହରା ପୂଜା ସମୟ। ପାଖରେ ଟଙ୍କା ନ ଥିଲା। ଲୋକେ ବାକି ଟଙ୍କା ମାଗୁଥିଲେ। ଯାହାକୁ ନେଇ ସେ ବିଗତ କିଛି ଦିନ ହେବ ମାନସିକ ଅଶାନ୍ତିରେ ଥିଲେ। ଆଜି ପରିବାର ଲୋକ ଘର ବାହାରେ ଥିବା ସମୟରେ ସେ ଘର ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।
ଏନେଇ ତାରସିଂ ଥାନା ଅଧିକାରିଣୀ ଶୁଭଲକ୍ଷ୍ମୀ ପୂଜାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି, ଆର୍ଥିକ ଅନାଟନ ଯୋଗୁ ଯୁବକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତଥାପି ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ ଚାଲିଛି। ତଦନ୍ତ ପରେ ଜଣାପଡ଼ିବ ସେ କେଉଁଭଳି ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି।