୩୦ ତାରିଖ ମଧ୍ୟରେ ୟୁଜି, ପିଜି ଶେଷବର୍ଷ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର,୩୧।୮(ବ୍ୟୁରୋ) – ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମାର୍ଗଦର୍ଶିକା ଅନୁସାରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ଅଣ୍ଡର ଗ୍ରାଜୁଏଟ୍‌(ୟୁଜି) ଏବଂ ପୋଷ୍ଟ ଗ୍ରାଜୁଏଟ୍‌(ପିଜି) ଶେଷବର୍ଷ ସେମିଷ୍ଟର ପରୀକ୍ଷା ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଅକ୍ଟୋବର ୩୧ ସୁଦ୍ଧା ସମସ୍ତ ପରୀକ୍ଷା ଫଳ ପ୍ରକାଶ କରାଯିବ। ଅଫ୍‌ଲାଇନ୍‌, ଅନ୍‌ଲାଇନ୍‌, ବ୍ଲେଣ୍ଡେଡ୍‌ (ଅନ୍‌ଲାଇନ୍‌ + ଅଫଲାଇନ୍‌) ମଲ୍ଟିପୁଲ୍‌ ଚଏସ୍‌, ଓପନ୍‌ ବୁକ୍‌ ଏବଂ ଓଏମ୍‌ଆର୍‌ ଆଦି ଯେକୌଣସି ଅନୁମୋଦିତ ପଦ୍ଧତିରେ ପରୀକ୍ଷା କରାଯାଇପାରିବ। ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଉପଯୁକ୍ତ ପରୀକ୍ଷା ପଦ୍ଧତି ବିଷୟରେ ନିଷ୍ପତ୍ତି ନେବେ। ସୋମବାର ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ବିଶ୍ୱବିଦ୍ୟାଳୟ କୁଳପତି ଏବଂ ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।