ମହାକାଳପଡ଼ା,୨୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ଅଞ୍ଚଳରେ ଶୁକ୍ରବାର ଦୁଇ ଛାତ୍ରୀଙ୍କୁ ସ୍କୁଲ ଯିବା ବାଟରେ କିଛି ନିଶା ଦ୍ରବ୍ୟ ସ୍ପ୍ରେ କରି ଉକ୍ତ ଗ୍ରାମର ଦୁଇ ଯୁବକ ଏକ କାର୍ରେ ଅପହରଣ କରିନେଇଥିଲେ। ପରେ ଅପରାହ୍ନରେ ଦୁଇ ଛାତ୍ରୀଙ୍କୁ ଉକ୍ତ ଅଞ୍ଚଳର ହନୁମାନ ମନ୍ଦିର ନିକଟରେ ଦୁଇ ଯୁବକ ଛାଡ଼ି ଦେଇ ଫେରାର ହୋଇଯାଇଥିଲେ। ଚେତା ଫେରିବା ପରେ ଦୁଇ ଛାତ୍ରୀ ଘରକୁ ଫେରି ସବୁ ଘଟଣା ପରିବାର ନିକଟରେ ପ୍ରକାଶ କରିଥିଲେ। ଏହା ଏକ ସମ୍ବେଦନଶୀଳ ଘଟଣାକୁ ନେଇ କେତେକ ଭଦ୍ର ଲୋକମାନଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୁଝାମଣା ଚାଲିଥିଲା। ମାତ୍ର କୌଣସି ନିଷ୍କର୍ସ ନ ବାହାରିବାରୁ ଛାତ୍ରୀଙ୍କ ପରିବାର ପକ୍ଷରୁ ଉକ୍ତ ବିଳମ୍ବିତ ରାତିରେ ଜମ୍ବୁ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଦୁଇ ଯୁବକଙ୍କୁ ଶନିବାର ଉକ୍ତ ଅଞ୍ଚଳରୁ ଉଠାଇ ନେଇ ଥାନାରେ ଅଟକ ରଖିଛି।
ଅପରପକ୍ଷରେ ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିରୀକ୍ଷା ପରେ ମହାକାଳପଡ଼ାର ଥାନାଧିକାରୀ ୧୮୦ ଭାରତୀୟ ନ୍ୟାୟ ସଂହିତା ଧାରା ଅନୁସାରେ ବୟାନ ରେକର୍ଡ କରିଛନ୍ତି। ରବିବାର ଛାତ୍ରୀଙ୍କଠାରୁ କେନ୍ଦ୍ରାପଡ଼ା ପୋକ୍ସୋ ଅଦାଲତରେ ୧୮୩ ଭାରତୀୟ ନ୍ୟାୟ ସଂହିତା ଧାରା ଅନୁସାରେ ବୟାନ ରେକର୍ଡ କରାଯିବ ବୋଲି ଥାନା ଅଧିକାରୀ ସୌମ୍ୟରଞ୍ଜନ ବିଶ୍ୱାଳଙ୍କଠାରୁ ସୂଚନା ମିଳିଛି। ଦୁଇ ଯୁବକ ଛାତ୍ରୀଙ୍କୁ କାହିଁକି ଅପହରଣ କରି ପରେ ଛାଡ଼ିଲେ ତାହା ସ୍ପଷ୍ଟ ହୋଇନାହିଁ।
ଏନେଇ କେସ୍ ନଂ ୧୯୭/୨୫ରେ ଏ ମାମଲା ରୁଜୁ ହୋଇଥିବାବେଳେ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଅଟକ ଥିବା ରାମନଗର ଅଞ୍ଚଳର ଦୁଇ ଅପହର୍ତ୍ତା ଯୁବକ ତରୁଣ କୁମାର ଦେହୁରୀ(୨୭) ଏବଂ ଇନ୍ଦ୍ରଜିତ ପାଲ(୨୮)ଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ରବିବାର ଅପରାହ୍ନରେ କେନ୍ଦ୍ରାପଡ଼ା ପୋକ୍ସୋ କୋର୍ଟକୁ ଚାଲାଣ କରାଯାଇଛି।