ଦେବଗଡ଼,୬ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ପ୍ରଭାସୁଣୀସ୍ଥିତ କ୍ରସର ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଗୁରୁବାର ବିଳମ୍ବିତ ରାତିରେ ଏକ ବାଇକ୍କୁ ଅଜଣା ଗାଡ଼ି ଧକ୍କା ଦେବାରୁ ଦୁଇ ବାଇକଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଯୁବକ ବାରକୋଟ ଥାନା ଅନ୍ତର୍ଗତ ମାଦଳିଆ ଗ୍ରାମର ସୁଶାନ୍ତ ମହାକୁଳ (୩୨) ଏବଂ ବିଜାଡିହ ଗ୍ରାମର ସଞ୍ଜୟ ନାୟକ (୩୩) ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ ସୁଶାନ୍ତ ଏବଂ ସଞ୍ଜୟ ଏକ ବାଇକ୍(ଓଡି-୩୫-ବି-୭୯୭୪)ରେ କୁଚିଣ୍ଡାରୁ ନିଜ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏକ ଅଜଣା ଗାଡ଼ି ବାଇକ୍କୁ ଧକ୍କା ଦେବାରୁ ଦୁଇ ଯୁବକ ରାସ୍ତାରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଘଟଣାସ୍ଥଳରୁ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ଦେବଗଡ଼ ପୋଲିସ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ମାତ୍ର ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଦେବଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି। ଶୁକ୍ରବାର ସକାଳୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।


