ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ ଜଣଙ୍କୁ ବସ୍ତା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ୧୬ ନଂ ଜାତୀୟ ରାଜପଥର ବସ୍ତା ବାଇପାସ ନିକଟରେ ଏକ ଇସ୍ପାତ ବୋଝେଇ ହୋଇଥିବା ଟ୍ରେଲର ଏବଂ ଏକ କୋଇଲା ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇ ନିଆଁ ଲାଗି ଯାଇଥିଲା। ତୁରନ୍ତ ବସ୍ତା ପୋଲିସ, ରାଜପଥ ପାଟ୍ରୋଲିଂ ଭ୍ୟାନ ପହଞ୍ଚି ଆହତ ଅବସ୍ଥାରେ ଦୁଇଜଣଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ନିଆଯାଇଥିଲା। ବସ୍ତା ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥଲେ। ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ଡ୍ରାଇଭରଙ୍କୁ ନିଦ ଲାଗିଯାଇ ଏଭଳି ଦୁର୍ଘଟଣା ଘଟିଥାଇପାରେ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।

Dharitri – Odisha’s No.1 Odia Daily