ଦିଗପହଣ୍ଡି,୨୨।୨(ଅଶେଷ ନାଥ ମିଶ୍ର): ଜଲମେରିପଲ୍ଲୀରେ ୨ ଜଣଙ୍କୁ ଦଳିଦେଲା ଦନ୍ତା । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ସିମାଞ୍ଚଳ ରାଉତଙ୍କ ସ୍ତ୍ରୀ ଉର୍ମିଳା ରାଉତ(୪୯) ଏବଂ ସ୍ବର୍ଗତ କାଶୀନାଥ ପ୍ରଧାନଙ୍କ ପୁଅ ଗୋପୀନାଥ ପ୍ରଧାନ(୬୦) ଦନ୍ତା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ରବିବାର ଭୋର ପ୍ରାୟ ୬ ଟାରେ ଏହି ଦୁଃଖଦ ଘଟଣା ଘଟିଛି ।
ଉଭୟେ ଗାଁ ନିକଟ ପରିବା ବଗିଚାରେ କାମ କରୁଥିବା ବେଳେ ନିକଟସ୍ଥ ଘୋଡ଼ାହାଡ଼ ନଦୀ ପଠାରୁ ହାତୀଟି ବାଡ଼ ଭିତରକୁ ଆସି ଉଭୟଙ୍କୁ ଗୋଡ଼ାଇ ଥିଲା। ପ୍ରାଣ ଭୟରେ ଉଭୟେ ଦୌଡୁଥିବା ବେଳେ ଜମିହିଡ ରାସ୍ତାରେ ଝୁଣ୍ଟି ତଳେ ପଡ଼ିଯାଇଥିଲେ। ଆଖପାଖରେ ଥିବା ଲୋକେ ପାଟି କରୁଥିଲେ ମଧ୍ୟ ପ୍ରଥମେ ହାତୀଟି ଉର୍ମିଳାଙ୍କୁ ପାଦରେ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ପରେ ଗୋପୀନାଥଙ୍କୁ ଗୋଡ଼ାଇ ହାତୀ ତାର ଶୁଣ୍ଢରେ ଦୁଇଥର କିଛିଦୂରକୁ ଫୋପାଡି ନିକଟସ୍ଥ ଜଙ୍ଗଲକୁ ପଳାଇଥିଲା ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ଖବରପାଇ ଗଜପତି ଜିଲା ଚନ୍ଦ୍ରଗିରି ବନାଞ୍ଚଳ ରେଞ୍ଜର ରୂପକ କୁମାର ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଏନେଇ ଏତଲା ହେବାପରେ ଦିଗପହଣ୍ଡି ପୋଲିସ ୭/୨୬ ଏବଂ ୮/୨୬ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ କରି ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ହେବାପରେ ମୃତଦେହ ଦୁଇଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଗତ ପ୍ରାୟ ୧ ମାସ ହେଲା ହାତୀଟି ଗଜପତି ଜିଲା ଲଖାରୀ ହାତୀ ଅଭୟାରଣ୍ୟରୁ ଗୋଠ ଛଡ଼ା ହୋଇ ଗଜପତି ଜିଲା ତପ୍ତପାଣି ନିକଟ ଝାଟିକାବାଡ଼ ଜଙ୍ଗଲ ଦେଇ ଗଞ୍ଜାମ ଜିଲା ଭୀଷ୍ମଗିରି, ଚଷାନିମଖଣ୍ଡି, ସହଦେବ ଟିକରପଡ଼ା, ନିମଖଣ୍ଡି ପେଣ୍ଠ ପ୍ରଭୃତି ଇଲାକାରେ ଆତଙ୍କ ଚଳାଇଥିଲା। ଚନ୍ଦ୍ରଗିରି ରେଞ୍ଜ ଭୀଷ୍ମଗିରି ସେକ୍ସନ ଅଧିନ ବନ କର୍ମଚାରୀ ବୃନ୍ଦ ତାଲିମପ୍ରାପ୍ତ ହାତୀ ଟ୍ରାକରଙ୍କ ସହାୟତାରେ ହାତୀକୁ ପୁଣି ଥରେ ଜଙ୍ଗଲ ମଧ୍ୟକୁ ଘଉଡାଇ ଦେଇଥିଲେ । ହାତୀଟି ପୁଣି ଜଙ୍ଗଲରୁ ଫେରି ଆସିଥିବା ସନ୍ଦେହ କରାଯାଉଛି।
ଗଞ୍ଜାମ ଜିଲା ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳ ପାଟପୁର ସେକ୍ସନ ରତନେଇ ରେଖାଙ୍କିତ ଜଙ୍ଗଲରେ ୪ ହାତୀ ରହୁଛନ୍ତି । ଏହି ପଲରୁ ଜଲମେରୀ ପଲ୍ଲୀ ଅଞ୍ଚଳକୁ ହାତୀ ଯାଇଛି କି ନାହିଁ ସେନେଇ ବନ କର୍ମଚାରୀ ମାନଙ୍କ ପକ୍ଷରୁ ଟ୍ରାକିଂ ଚାଲିଥିବା ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ କହିଛନ୍ତି। ଅପରପକ୍ଷରେ ଆବଶ୍ୟକ ପାଣି ଓ ଖାଦ୍ୟାଭାବ କାରଣରୁ ହାତୀ ଜନବସତିକୁ ମାଡି ଆସୁଛନ୍ତି । ବିଗତ ୨୦ ବର୍ଷ ମଧ୍ୟରେ ବ୍ୟାପକ ଜଙ୍ଗଲ ନଷ୍ଟ ସହ ହାତୀ ଭଳି ବନ୍ୟଜନ୍ତୁଙ୍କ ବାସସ୍ଥଳୀ ନଷ୍ଟ କରାଯାଇ ସଂରକ୍ଷିତ ଲଖାରୀ ହାତୀ ଅଭୟାରଣ୍ୟ ଭିତରେ ବେଆଇନ ଭାବେ ଅନେକ ଜନବସତି ଗଢ଼ି ଉଠିଥିବା ଜାଣିବାକୁ ମିଳିଛି ।