ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗାଁରେ ରବିବାର ପୂର୍ବାହ୍ନରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗାଁ କରଣ ସାହିର ଦୁଇ ସାଙ୍ଗ ଶ୍ରୀ ନୀଳକଣ୍ଠେଶର ମନ୍ଦିର ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଅସାବଧାନତା କାରଣରୁ ପୋଖରୀ ଓ୍ବାଲ ଖସଡ଼ାରେ ଖସି ଯାଇ ଆର୍.ସାଲୋନି ପାତ୍ର(୮) ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ସାଙ୍ଗ ଏନ. ରାଜେଶ୍ୱରୀ ପାତ୍ର ପାଣିରେ ବୁଡି ଯାଇଥିଲେ। ପୋଖରୀରେ ଗାଧୋଉଥିବା କିଛି ବ୍ୟକ୍ତି ରାଜେଶ୍ୱରୀଙ୍କୁ ଉଦ୍ଧାର କରିଥିବା ବେଳେ ସାଲୋନିଙ୍କ ସନ୍ଧାନ ମିଳି ନ ଥିଲା। ଖବରପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସାଲୋନି ଏବଂ ରାଜେଶ୍ୱରୀଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସାଲୋନିଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଅସୁସ୍ଥ ରାଜେଶ୍ୱରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦିଗପହଣ୍ଡି ପୋଲିସ ଟିମ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଥାନା ଅପମୃତ୍ୟୁ ମାମଲା ନଂ.୪୬/୨୫ ଅନୁଯାୟୀ ସାଲୋନିଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି। ସାଲୋନିଙ୍କ ବାପା ଆର୍.ଘନ ପାତ୍ର ଗୁଜରାଟର ସୁରାଟସ୍ଥିତ ଲୁଗାକଳରେ କାମ କରି ସେଠାରେ ଥିବା ବେଳେ ମା’ ଚାଷଜମିକୁ ଧାନ କାଟିବାକୁ ଚାଲିଯାଇଥିଲେ। ଗାଁ ସ୍କୁଲରେ ୩ୟ ଶ୍ରେଣୀରେ ପଢୁଥିବା ୨ ସାଙ୍ଗ ପ୍ରତିଦିନ ଭଳି ରବିବାର ସକାଳେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି।