ଗୋଟିଏ ସପ୍ତାହରେ କଳିଙ୍ଗାଘାଟିରେ ୨ ଥର ଭୂସ୍ଖଳନ, ଧୋଇଗଲା ମରାମତି କାର୍ଯ୍ୟ

ଦାରିଙ୍ଗବାଡ଼ି,୨୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଜି. ଉଦୟଗିରି ବ୍ଲକ କଳିଙ୍ଗାଘାଟିରେ ପୁଣି ଥରେ ଭୂସ୍ଖଳନ ହୋଇଛି। ଗତ ୧୬ ତାରିଖ ମଧ୍ୟାହ୍ନରେ ଭୂସ୍ଖଳନ ହୋଇଥିଲା। ସୋମବାର ପ୍ରବଳ ବାଦଲ ଫଟା ବର୍ଷାରେ ପୂର୍ବରୁ ଭୂସ୍ଖଳନ ହୋଇଥିବା ସ୍ଥାନ ମରାମତି ଚାଲିଥିବାବେଳେ ତାହା ମଧ୍ୟ ଧୋଇଯାଇଛି।

ସେହିପରି ପୂର୍ବରୁ ଭୂସ୍ଖଳନ ହୋଇଥିବା ସ୍ଥାନରୁ ଆଉ କିଛି ଦୂରରେ ପୁଣି ଏକ କଲଭର୍ଟ ତଳୁ ଧୋଇ ହୋଇଯିବାରୁ ତାହା ଏବେ ବିପଦପୂର୍ଣ୍ଣ ହୋଇପଡ଼ିଛି। ଫଳରେ ମରାମତି କାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଇଛି। ମରାମତି ପରେ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ପାଇଁ ଯେଉଁ ସମ୍ଭାବନା ଦେଖାଯାଇଥିଲା ତାହା ପୁଣି ଧୂଳିସାତ୍‌ ହୋଇଯାଇଛି। ମରାମତି କାର୍ଯ୍ୟରେ ନିୟୋଜିତ ମେଶିନ, ହାଇଓ୍ବା ଆଉ ମରାମତି ପାଇଁ ସାମଗ୍ରୀ ନେଇ ଉକ୍ତ ସ୍ଥାନରେ ପହଞ୍ଚିବା ଏକ ପ୍ରକାର ଠପ୍‌ ହୋଇଯାଇଛି। ପୂର୍ବରୁ ହୋଇଥିବା ଭୂସ୍ଖଳନ ସ୍ଥାନରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହେଉଥିବା ବେଳେ ପାହାଡ଼ରୁ ବଡ଼ ବଡ଼ ପଥର ଭାସି ଆସି ମରାମତି କାର୍ଯ୍ୟକୁ ପୁଣି ଥରେ ନଷ୍ଟ କରିଦେଇଛି।

Share