ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର ଜଣେ ହାବିଲଦାର ଅଲେଖ ଦାସ ଓ ଅନ୍ୟ ଜଣେ ଯବାନ ନାରାୟଣ ଦାସ ଗୁରୁତର ଆହତ ହୋଇଛନ୍ତି l ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲା ସରଣ୍ଡା ଜଙ୍ଗଲରେ ନକ୍ସଲମାନେ ପୁଣିଥରେ ସୁରକ୍ଷାବଳକୁ ଟାର୍ଗେଟ କରିଛନ୍ତି । ସରଣ୍ଡା ସ୍ଥିତ ଛୋଟାନାଗରା ଥାନା ଅଞ୍ଚଳର ବାଲିବା ଗାଁ ନିକଟରେ ଚାଲୁ ଥିବା ସର୍ଚ୍ଚ ଅପରେସନ ସମୟରେ ନକ୍ସଲମାନେ ପୂର୍ବରୁ ଖଞ୍ଜିଥିବା ଦୁଇଟି ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି ।
ପ୍ରଥମ ବିସ୍ଫୋରଣରେ କୋବ୍ରା ବଟାଲିଅନ ୨୦୯ର ହାବିଲଦାର ଅଲେଖ ଦାସ ଆହତ ହେଇ ଥିଲେ। ଯାହାର ୩୦ ମିନିଟ ପରେ ଆହତଙ୍କୁ ଉଦ୍ଧାର ପାଇଁ ଯାଉଥିବା ବେଳେ ପୁଣି ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା। ଦ୍ଵିତୀୟ ବିସ୍ଫୋରଣରେ ମଧ୍ୟ ୨୦୯ ବାଟାଲିୟନର ଯବାନ ନାରାୟଣ ଦାସ ଆହତ ହେଇ ଥିଲେ। ଘଟଣାକୁ ପଶ୍ଚିମ ସିଂହଭୂମ ଜିଲ୍ଲାର ଏସପି ଅମିତ ରେଣୁ ପୁଷ୍ଟି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସୁରକ୍ଷାବଳ ନକ୍ସଲ ବିରୋଧୀ ଅଭିଯାନ ଚଳାଉ ଥିବା ବେଳେ ଜଙ୍ଗଲରେ ଏହି ବିସ୍ଫୋରଣ ଘଟିଛି। ଆହତ ଯବାନମାନଙ୍କୁ ପ୍ରଥମିକ ଚିକିତ୍ସା ପରେ ଏୟାରଲିଫ୍ଟ କରି ରାଞ୍ଚିକୁ ପଠାଯାଇଛି। ଘଟଣା ପରେ ସୁରକ୍ଷା ଏଜେନ୍ସିମାନେ ସମ୍ପୂର୍ଣ୍ଣ ଅଞ୍ଚଳରେ ସତର୍କତା ବଢ଼ାଇଛନ୍ତି ଏବଂ ସର୍ଚ୍ଚ ଅପରେସନକୁ ଆହୁରି ତୀବ୍ର କରି ଦିଆଯାଇଛି। ଏହି ଘଟଣା ଏମିତି ସମୟରେ ଘଟିଛି, ଯେତେବେଳେ ସରଣ୍ଡା ଜଙ୍ଗଲରେ ନକ୍ସାଲମାନଙ୍କ ବିରୋଧରେ ଲଗାତାର ଅଭିଯାନ ଚାଲିଛି ଏବଂ ସୁରକ୍ଷାବଳକୁ କ୍ରମାଗତ ମାଓବାଦୀଙ୍କ ବିରୋଧରେ ଅନେକ ସଫଳତା ମଧ୍ୟ ମିଳିଛି।
ନକ୍ସଲମାନଙ୍କ ଏହି ହିଂସାରୁ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଛି। ଅପରପକ୍ଷେ ପୁଲିସ ପ୍ରଶାସନ ପକ୍ଷରୁ ଗ୍ରାମୀବାସୀଙ୍କୁ ସରଣ୍ଡାର ଗଭୀର ଜଙ୍ଗଲକୁ ନଯିବା ପାଇଁ ଅପିଲ କରାଯାଇଛି ଏବଂ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ପୋଲିସକୁ ସୂଚନା ଦେବା ପାଇଁ ଆହ୍ଵାନ କରା ଯାଇଛି। ଉଭୟ ଓଡିଶା – ଝାରଖଣ୍ଡ ସୀମା ରେ ହାଇଆଲର୍ଟ ଜାରି କରି କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଛି l