ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ ବଣରେ ପର୍ଯ୍ୟଟକମାନେ ବଣ ଭୋଜି କରି ମଜା ନେଉଥିବା ବେଳେ କୌଣସି କାରଣରୁ ୨ ଗୋଷ୍ଠି ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା । ପରେ ପରିସ୍ଥିତି ଏମିତି ଘଟିଥିଲା ଯେ ଉଭୟ ଗୋଷ୍ଠି ମଧ୍ୟରେ ପିଟା ପିଟି ହୋଇଥିଲା । ରୋଷେଇରେ ବ୍ୟବହାର ଚଟୁ, ବେଲା ସହ ବିଭିନ୍ନ ସାମଗ୍ରିରେ ମାଡ଼ ହୋଇଥିଲା ।

ଏହି ସମୟରେ ଡ଼ୁଲୁରୀ ଅଞ୍ଚଳରେ ଅନ୍ୟ ପର୍ଯ୍ୟଟକମାନେ ମଧ୍ୟ ରୋଷେଇ କରୁଥିବା ବେଳେ ବହୁ ହଇରାଣ ହୋଇଥିଲେ । ପରିବାର ନେଇ ଆସିଥିବା ପର୍ଯ୍ୟଟକ ବଣ ଭୋଜି କରୁଥିବା ବେଳେ ଭୋଜି ରାନ୍ଧି ମଧ୍ୟ ଖାଇପାରିନଥିଲେ । ଭୟ ଓ ଆତଙ୍କ ଭିତରେ ପର୍ଯ୍ୟଟକ ଡ଼ୁଲୁରୀ ସ୍ଥାନ ଛାଡି ଚାଲିଯାଇଥିଲେ । ପରିସ୍ଥିତି ଏମିତି ହେଲା ଯେ ଉକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା ଏବଂ ଗଣ୍ଡଗୋଳକୁ ବନ୍ଦ କରିବାକୁ ଯାଇଥିବା କିଛି ଯୁବକ ଓ ପର୍ଯ୍ୟଟକ ଆହତ ହୋଇଥିଲେ ।

ଡ଼ୁଲୁରୀ ପର୍ଯ୍ୟଟନକ୍ଷେତ୍ରର ପରିଚାଳକ ସଞ୍ଜୀବ ପ୍ରଧାନ ତୁରନ୍ତ ପ୍ଳିହେରୀ ସରପଞ୍ଚ ପାଉଲ ପ୍ରଧାନଙ୍କୁ ଫୋନରେ ଜଣାଇବା ପରେ ସରପଞ୍ଚ ତୁରନ୍ତ ଦାରିଙ୍ଗବାଡି ଥାନାକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ୨ ଗୋଷ୍ଠୀଙ୍କୁ ଝଗଡାକୁ ବନ୍ଦ କରିବାକୁ ଉଦ୍ୟମ କରୁଥିଲେ ହେଁ ପ୍ରବଳ ଗଣ୍ଡଗୋଳକୁ ଦେଖି ପୋଲିସ ମୃଦୁ ଲାଠି ଚାଳନା କରିଥିଲା । ୨ ଗୋଷ୍ଠିର କିଛି ଯୁବକଙ୍କୁ ଟେକି ନେଇ ଥାନାରେ ରଖି ଅଧିକ ତଦନ୍ତ କରୁଥିବା ଓ ଅତ୍ୟଧିକ ନିଶାସକ୍ତ ଯୋଗୁଁ ଏଭକି ଘଟଣା ଘଟିଥିବା ଦାରିଙ୍ଗବାଡି ଥାନା ଅଧିକାରୀ ତଥା ଡିଏସପି କନକ ମାଝୀ କହିଛନ୍ତି । ଖବର ଲେଖିବା ସୁଦ୍ଧା ପୋଲିସ ବିଶୃଙ୍ଖଳାକାରୀଙ୍କୁ ଥାନାରେ ଅଟକ ରଖିଛି ।

 

Dharitri – Odisha’s No.1 Odia Daily