ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଗଙ୍ଗାପୁର ପଞ୍ଚାୟତ ନରସିଂହଗଡ଼ ଗ୍ରାମ ନିକଟସ୍ଥ ପିପିଲିଗୁଡ଼ା ଗ୍ରାମ ନିକଟରେ ଦୁର୍ଘଟଣା ଘଟିଥିଲା। ଏହି ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ପାଟପୁର ରାଧାଦେଇପୂର ଗ୍ରାମର ବୁନା ମହାଙ୍କୁଡ (୪୫) ଓ ଆହତ ହେଲେ କୈଳାସ ସୁଆଁଶିଆ (୩୨)। ବୁନା ଏବଂ କୈଳାସ କୌଣସି କାମରେ ବାଇକ ଯୋଗେ ସଂଢେପ ଗ୍ରାମକୁ ଯାଇ ସେଠାରୁ ଫେରୁଥିବା ବେଳେ ନରସିଂହଗଡ଼ – ପିପିଳିଗୁଡ଼ା ଗ୍ରାମ ରାସ୍ତାର ବୁଲାଣିରେ ଭାରସାମ୍ୟ ହରାଇ ଗଛକୁ ପିଟି ହୋଇଯାଇଥିଲା। ଫଳରେ ବାଇକ ଚାଳକ ବୁନା ଓ କୈଳାସ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବୁନାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ଆହତ କୈଳାସଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଖବର ପାଇ ପାଟପୁର ଥାନା ପୋଲିସ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିଛନ୍ତି । ବ୍ୟବଛେଦ ପାଇଁ ମୃତଦେହକ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଦୁର୍ଘଟଣାର ତଦନ୍ତ ଚାଲିଥିବା ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି।


