ଯାଜପୁରରୋଡ୍,୫ା୩(ପବିତ୍ର ରଞ୍ଜନ ମହାନ୍ତି): ହୋଲି ହେଲା କାଳ, ରଙ୍ଗ ବୋଳାବୋଳି ସହ ଖୁସିର ପର୍ବ ପରେ ଘରେ ପଡ଼ିଛି କାନ୍ଦବୋବାଳି। ପୋଖରୀରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ବୁଧବାର ହୋଲି ଖେଳିବା ପରେ ୟୁପିରୁ ଆସି ଜିନ୍ଦଲରେ କାର୍ଯ୍ୟ କରୁଥିବା ଦୁଇ ଯୁବକ ଶିବମ ୟାଦବ (୧୯) ଓ ନଗେନ୍ଦର ରାଜଭର (୨୦)ହୋଲି ଖେଳିସାରି ଯାଜପୁରରୋଡ୍ ଉମାପଦା ରତ୍ନା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତାଙ୍କ ମଧ୍ୟରୁ ଶିବମ ନିଶାଶକ୍ତ ଅବସ୍ଥାରେ ପହଁରି ପୋଖରୀ ପାର ହେବାକୁ ଚେଷ୍ଟା କରୁଥିଲେ ବୋଲି ତାଙ୍କ ସାଙ୍ଗରେ ଥିବା ନଗେଶ କହିଛନ୍ତି, ହେଲେ ପରେ ନଗେଶ ଡିଜେରେ ନାଚିବା ପାଇଁ ମସ୍ଗୁଲ ଥିବା ବେଳେ ତାଙ୍କ ସାଙ୍ଗଙ୍କ କଥା ଭୁଲି ଯାଇଥିଲେ, ନିଶା ଛାଡ଼ିବା ପରେ ସାଙ୍ଗ ଶିବମଙ୍କୁ ଖୋଜିବାକୁ ଲାଗିଥିଲେ କିନ୍ତୁ ତାଙ୍କ ସାଙ୍ଗଙ୍କୁ ଆଉ ପାଇ ନ ଥିଲେ l ଏବାବଦରେ ତାଙ୍କ ସମ୍ପର୍କୀୟ ବିନୟ ରାଓ ୧୧୨କୁ ଫୋନ୍ କଲା ପରେ ଯାଜପୁରରୋଡ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ l ସନ୍ଧ୍ୟା ହୋଇଯାଇଥିବାରୁ ବହୁ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ପାଇ ନ ଥିଲେ। ଗୁରୁବାର ମଧ୍ୟାହ୍ନରେ ଯୁବକଙ୍କ ମୃତଦେହ ପୋଖରୀରୁ ମାଛଧରା ଜାଲ ସାହାଯ୍ୟରେ ଉଦ୍ଧାର କରାଯାଇଛି l ଘଟଣା ସ୍ଥଳରେ ଯାଜପୁରରୋଡ଼ ପୋଲିସ ଉପସ୍ଥିତ ରହି ଘଟଣା ତଦନ୍ତ ଆରମ୍ଭ କରିଥିବାବେଳେ ଘଜନସାଧାରଣ ରୁଣ୍ଡ ହୋଇ ଏହି ଦୁଃଖଦ ଘଟଣାକୁ ଦେଖୁଥିଲେ। ପୋଲିସ ମୃତଦେହ ଜବତ କରି ପରିବାର ଲୋକଙ୍କୁ ଖବର ଦେଇଛି। ସେମାନେ ପହଞ୍ଚିଲା ପରେ ମୃତଦେହ ବ୍ୟବଚ୍ଛେଦ ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ଯୁବକ ଦୁଇଜଣ ମଦ୍ୟପାନ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।