ଧାନ ଜଗିବାକୁ ଯାଇଥିଲେ: ୨ ଚାଷୀଙ୍କୁ ଦଳିଦେଲା ହାତୀ

ଜମନକିରା,୧୧।୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ବଡ଼ରମା ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ କୁତବ ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଧାନ ଜଗିବାକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ୨ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ଚାଷୀ ଦ୍ୱୟ ହେଲେ ଗଙ୍ଗାରାମ ପଟେଲ(୪୫) ଘଟୁଆଲ(୬୦) ବୋଲି ଜଣାପଡିଛି।

ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ, ଆଇଆଇସି ପଦ୍ମାଳୟା ସାହୁ ଏବଂ ତହସିଲଦାର ପ୍ରବୀଣା ବିଲୁଙ୍ଗ ପ୍ରମୁଖ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସରକାରଙ୍କ ନିୟମ ଅନୁଯାୟୀ ମୃତକଙ୍କ ପରିବାର ଲୋକଙ୍କୁ ଆବଶ୍ୟକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ। ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନା ମୁତାବକ, ସମ୍ବଲପୁର ଜିଲା ବଡ଼ରମା ରେଞ୍ଜ ଅଧୀନ କୁତବ ଗ୍ରାମର ୨ ଚାଷୀ ପ୍ରଦୀପ ଏବଂ ଗଙ୍ଗାରାମ ସୋମବାର ରାତ୍ରିରେ ଧାନ ଚାଷ ଜଗିବାକୁ ଯାଇଥିଲେ। ସେତିକିବେଳେ ସେମାନେ ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀ ସେମାନଙ୍କୁ ଦଳି ଦେଇଥିଲା। ଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ମଙ୍ଗଳବାର ସକାଳୁ ଗ୍ରାମବାସୀ ବଣଭିତରେ ଥିବା ରାସ୍ତା କଡରେ ୨ଜଣଙ୍କ ମୃତଦେହ ପଡିଥିବା ଦେଖି ବନ ବିଭାଗ ଏବଂ ଜମନକିରା ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ବଡ଼ରମା ରେଞ୍ଜର ଗିରିଧାରୀ ପଧାନ, ଜମନକିରା ଆଇଆଇସି ପଦ୍ମାଳୟା ସାହୁ, ତହସିଲଦାର ପ୍ରବୀଣା ବିଲୁଙ୍ଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ହେଲେ କ୍ଷତିପୂରଣ ଦାବିରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଲୋକଙ୍କୁ ବୁଝାସୁଝା କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବା ପାଇଁ ରେଞ୍ଜର ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିଲା। ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଡାକ୍ତରଖାନା ପଠାଯାଇଥିଲା। ହାତୀର ଗତିବିଧି ଉପରେ ବନ ବିଭାଗ ଲକ୍ଷ୍ୟ ରଖୁଥିଲେ ମଧ୍ୟ ଜନ ସାଧାରଣଙ୍କୁ ସତର୍କ କରାଯାଉ ନ ଥିବାରୁ ଏପରି ଦୁର୍ଘଟଣା ଘଟିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l

ଫରେଷ୍ଟର ଆନନ୍ଦ ପରିଡ଼ା, ସନ୍ତୋଷ ବାଘ, କୃପାସିନ୍ଧୁ ପ୍ରଧାନ, ଆଜମେର ଜଇପୁରିଆ, ସୁଦୀପ୍ତ ନାୟକ, ଦେବାର୍ଚ୍ଚନ ସୁତାର, ସ୍ବରୂପ ଚୌଧୁରୀଙ୍କ ସମେତ ସମସ୍ତ ବନ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

Share