ଶେରଗଡ଼/ହିଞ୍ଜିଳିକାଟୁ,୨୩।୪(ସୂର୍ଯ୍ୟନାରାୟଣ ଦାଶ/ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ ପୋଖରୀରେ ବୁଡ଼ି ବୁଧବାର ୨ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଉକ୍ତ ଗ୍ରାମ କୁମ୍ଭାର ସାହିର ଯୋଗିନ୍ଦ୍ର ଡାକୁଆଙ୍କ ଝିଅ ସ୍ବପ୍ନା ଡାକୁଆ (୩୦) ଓ ରଞ୍ଜନ ସ୍ବାଇଁଙ୍କ ଝିଅ ଜ୍ୟୋତି ସ୍ବାଇଁ (୧୯)।
ପ୍ରତିଦିନ ଭଳି ବୁଧବାର ଅପରାହ୍ନରେ ସ୍ବପ୍ନା ଓ ଜ୍ୟୋତି ଗାଁ ବଡ଼ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନେ ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ସନ୍ଧ୍ୟାରେ ଗ୍ରାମର କେତେଜଣ ମହିଳା ଉକ୍ତ ପୋଖରୀକୁ ଯାଇଥିବା ବେଳେ ପାଣିରେ ୨ ଯୁବତୀ ଭାସୁଥିବା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ସ୍ବପ୍ନା ଓ ଜ୍ୟୋତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ହିଞ୍ଜିଳି ପୋଲିସ ୨ ମୃତଦେହକୁ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ ପୃଥକ ୨ ଅପମୃତ୍ୟୁ ମାମଲା (ନଂ. ୮/୨୫ ଓ ନଂ. ୯/୨୫) ମାମଲା ରୁଜୁ ହୋଇଛି। ଗୁରୁବାର ମୃତଦେହ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯିବ। ରିପୋର୍ଟ ଆସିଲେ ମୃତ୍ୟୁ କିଭଳି ହୋଇଛି ଜଣାପଡିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠୀ କହିଛନ୍ତି।


