ନୂଆପଡ଼ା,୧୮ା୧ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳାର ଦ୍ୱିତୀୟ ଦିବସରେ ଏକ ନିଆରା ଚାଷୀ ପ୍ରତିଭା ସମ୍ମାନିତ ହେବା ଦେଖିବାକୁ ମିଳିଥିଲା। ୨ ଚାଷୀ ପ୍ରତିଭା ହେଲେ ସାହିପଲା ଗାଁର ମୂକ ବଧିର ୨ ଭଉଣୀ ରୁକ୍ମଣୀ ପଟେଲ ଓ ଭଗବତୀ ପଟେଲ। ନୂଆପଡା ସଦର ବ୍ଲକ ସାହିପଲା ପଞ୍ଚାୟତ ସଦର ଗାଁର ବେଣୁଧର ପଟେଲ ଓ ପ୍ରତିମା ପଟେଲଙ୍କ ୨ ଝିଅ ଜନ୍ମରୁ କଥା ହୋଇପାରୁ ନାହାନ୍ତି। ୨ ଭଉଣୀଙ୍କ ଏଭଳି ପରିସ୍ଥିତି ଦେଖି ପରିବାର ଲୋକେ ଭାଙ୍ଗି ଯାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ୨ ଭଉଣୀ ଅନେକ ପ୍ରକାର ଚାଷ କାର୍ଯ୍ୟକୁ ଆପଣେଇ ମାଟିରେ ସୁନା ଫଳାଇ ପରିବାର ଲୋକଙ୍କ ମୁହଁରେ ହସ ଫୁଟାଇଛନ୍ତି ା ବେଣୁଧରଙ୍କ ୩ ଏକର ଜମିରେ ମାଣ୍ଡିଆ, କପା, ମିଠା ମକା, ପନିପରିବା ଚାଷ କରିବା ସହ ଅନ୍ୟମାନଙ୍କ ଜମିକୁ ଲିଜ ସୂତ୍ରରେ ନେଇ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି ା ସେମାନେ ନିଜେ ପାୱାର ଟିଲର, ପାୱାର ୱିଡିର ଚଲାଇବା ସହିତ ଉନ୍ନତ କୃଷି ଯନ୍ତ୍ରପାତିର ବ୍ୟବହାର କରି ବିନା ଶ୍ରମିକ ସହାୟତାରେ ନିଜର ସବୁକାମ କରିପାରୁଛନ୍ତି। ଚାଷ ସହିତ ଗୋପାଳନ, ଛେଳି ପାଳନ, ଛତୁ ଚାଷକୁ ଆପଣେଇ ନେଇ ବର୍ଷକୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ପାରିଛନ୍ତି ା ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ରୁକ୍ମଣୀ ଓ ଭଗବତୀଙ୍କୁ ନୂଆପଡା ଜିଲାର ସମସ୍ତ ଚାଷୀଙ୍କ ପାଇଁ ଏକ ପ୍ରେରଣା ବୋଲି ସମାରୋହରେ ଉଦ୍ବୋଧନ ଦେବା ସହ କୃଷି ବିଭାଗ ତରଫରୁ ମୂକ ଓ ବଧିର ଦୁଇ ଭଉଣୀଙ୍କୁ ଉପଢୌକନ ଦେଇ ମାନପତ୍ର ସହ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ। ଜିଲାପାଳ ମଧୁସୂଦନ ଦାଶ କହିଲେ, ମୂକ ଓ ବଧିର ଝିଅମାନେ ମାଟିରେ ସୁନା ଫଳାଇ ପାରୁଛନ୍ତି ା ଆମେ ସଂପୂର୍ଣ୍ଣ ସକ୍ଷମ। ବାହାର ରାଜ୍ୟକୁ ଦାଦନ ନ ଯାଇ ନିଜ ଭିଟାମାଟିରେ କୃଷି ତଥା ଆନୁଷଙ୍ଗିକ କୃଷି ଭିତ୍ତିକ ଉଦ୍ୟୋଗ କରି ରୋଜଗାର ପନ୍ଥା କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହି କୃଷି ମେଳାରେ କୃଷି ବିଭାଗ ତରଫରୁ ମୂକ ଓ ବଧିର ଭଉଣୀଙ୍କୁ ସମ୍ମାନିତ କରାଯିବା ବିଷୟ ଜିଲାରେ ଚର୍ଚ୍ଚାର ବିଷୟ ହେବା ସହିତ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।