ରାୟଗଡ଼ା,୧୩।୨(ରଞ୍ଜନ ପଣ୍ଡା): ନୂତନ ଗଠିତ ଜିଲା ବିଜେଡି କମିଟିରେ ଉପସଭାପତି ପଦ ପାଇଥିବା କାଶୀପୁର ବ୍ଲକ ବରିଷ୍ଠ ବିଜେଡି ନେତା ଗଣେଶ ସାଉଁତା ବୁଧବାର ନିଜ ପଦବୀରୁ ଇସ୍ତଫା ଦେଇଥିବା ନେଇ ଜିଲା ସଭାପତି ଜଗନ୍ନାଥ ସାରକାଙ୍କୁ ଚିଠି ଲେଖିଥିବା ସହିତ ଏକ ଭିଡିଓ ପୋଷ୍ଟ କରିଥିଲେ।
ତେବେ ଶୁକ୍ରବାର ଏହା ଭିନ୍ନ ମୋଡ଼ ନେଇଛି। ଯେଭଳି ବିଷମକଟକ ବ୍ଲକର ସମିତିସଭ୍ୟ ଓ ସରପଞ୍ଚମାନେ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଯୋଗଦେଇ ଫେରିବା ପରେ ବିଜେଡ଼ି ନେତା ସୁଧୀର ଦାସଙ୍କ ସହିତ ପୁଣି ବିଜେଡକୁ ବାହଡିଛନ୍ତି ।
ସେହିଭଳି ଶୁକ୍ରବାର ଗଣେଶ ସାଉଁତା ମଧ୍ୟ ବିଜେଡିକୁ ବାହୁଡିବା ସହିତ ନିଜର ଇସ୍ତଫା ପତ୍ର ପ୍ରତ୍ୟାହାର କରିନେଇଛନ୍ତି । ସେ ନିଜ ଚିଠିରେ ଲେଖିଛନ୍ତି ଯେ, ଯେଉଁ ସମସ୍ୟା ପାଇଁ ଦଳ ଛାଡିବା ନେଇ ନିଷ୍ପତି ନେଇଥିଲେ। ଜିଲା ସଭାପତି ସାରକାଙ୍କ ସହ ଆଲୋଚନା କରି ସେସବୁ ସମସ୍ୟାର ସମାଧାନ ହୋଇସାରିଛି ।
ତେଣୁ ସେ ବିଜେଡିରେ ରହିବା ସହିତ ନିଜର ଉପସଭାପତି ଦାୟିତ୍ୱ ତୁଲାଇବେ ବୋଲି କହିଛନ୍ତି ।
ଶୁକ୍ରବାର ଜିଲା ସଭାପତି ଜଗନ୍ନାଥ ସାରକାଙ୍କ ବାସଭବନରେ ଗଣେଶ ସାଉଁତା ଆଲୋଚନା ବେଳେ ଜିଲା ସଭାପତି ସାରକାଙ୍କ ସମେତ ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ଦାସ, କାର୍ଯ୍ୟକାରୀ ସଭାପତି ପି.ଗୌରୀଶଙ୍କର, ବିଜେଡି ନେତ୍ରୀ ଅନୂସୟା ମାଝି ଓ ଅନ୍ୟମାନେ ଉପସ୍ଥିତ ଥିଲେ । ତେବେ ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେଡି ଶାସନଗାଦିରୁ ଓହ୍ଲାଇବା ପରେ ଜିଲା ବିଜେଡି ଏହିଭଳି ଇସ୍ତଫା ଦେବା ଏବଂ ପରେ ଦଳକୁ ବାହୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ଉପରେ କିଭଳି ପ୍ରଭାବ ପକାଇବ ତାହା ଦେଖିବାକୁ ବାକି ରହିଲା । ଅନ୍ୟପଟେ ୨୪ବର୍ଷ ଶାସନରେ ଥିବା ବିଜେଡି ଦଳର ନେତା ଓ କର୍ମୀଙ୍କୁ ନିଜ ଦଳକୁ ନେବା ପାଇଁ ଅନ୍ୟ ରାଜନୈତିକ ଦଳମାନେ ଏହିଭଳି କରୁଥାଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।
Dharitri – Odisha’s No.1 Odia Daily