ଅଢ଼େଇ ବର୍ଷ ପରେ ଲୋୟର ସୁକ୍‌ତେଲ ଡ୍ୟାମ୍‌ ଆପ୍ରୋଚ୍‌ ରାସ୍ତା କାମ ଆରମ୍ଭ

ବଲାଙ୍ଗୀର ଅଫିସ, ୧୫ା୧: ପ୍ରାୟ ଅଢ଼େଇ ବର୍ଷ ପରେ ଲୋୟର ସୁକ୍‌ତେଲ ଡ୍ୟାମ ସାଇଟ୍‌ ଅଞ୍ଚଳରେ ଶୁକ୍ରବାରଠାରୁ ଡ୍ୟାମ ଆପ୍ରୋଚ୍‌ ରାସ୍ତା କାମ ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ଉପସ୍ଥିତିରେ ଏହି ରାସ୍ତା କାମ ଆରମ୍ଭ କରାଯାଇଛି। ସୁକ୍‌ତେଲ ପ୍ରକଳ୍ପ ଟିମ୍‌ ଜେସିବି ମେଶିନ୍‌ରେ ଆପ୍ରୋଚ୍‌ ରାସ୍ତା କାମ ଆରମ୍ଭ କରିଥିବାରୁ ଦୀର୍ଘଦିନରୁ ବନ୍ଦ ପଡିଥିବା ଲୋୟର ସୁକ୍‌ତେଲ ପ୍ରକଳ୍ପ କାମ ଅଗ୍ରଗତି ହେବା ଆଶା ସଞ୍ଚାର ହୋଇଛି। ଘଟଣାସ୍ଥଳରେ ଉପଜିଲାପାଳ ସୁଧାକର ନାୟକ, ଏସ୍‌ଡିପିଓ ଶ୍ରୀମନ୍ତ ବାରିକ, ଲୋୟର ସୁକ୍‌ତେଲ ପ୍ରକଳ୍ପ ପୁନର୍ବାସ ଓ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ର, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ନିରଞ୍ଜନ ରାଉତ୍‌, ସଦର ଥାନା ଅଧିକାରୀ ତୋଫାନ ବାଗ, ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Share