ବାସୁଦେବପୁର,୨୫ା୯(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବରଣ୍ଡୁଆ ପଞ୍ଚାୟତର ନଟାପଢ଼ା ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ବୁଧବାର ମାଛ ତରକାରୀ ଖାଇଥିବା ଦୁଇ ଯାଆଁଳା ଭାଇଙ୍କ ମଧ୍ୟରୁ ଗୁରୁବାର ସକାଳେ ସୁଜିତ ବନ୍ଧ(୩) ନାମକ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏହି ମାଛ ତରକାରୀ ଖାଇଥିବା ମୃତ ସୁଜିତଙ୍କ ଯାଆଁଳା ଭାଇ ଅଜିତ(୩) ମଧ୍ୟ ଗୁରୁତର ହୋଇ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସାଧୀନ ଥିବା ଅଜିତ ହେଉଛନ୍ତି ନଟାପଡ଼ା ଗ୍ରାମର ସୁରେଦ୍ର ବନ୍ଧଙ୍କ ପୁତ୍ର।
ଏହି ଦୁଇ ଶିଶୁପୁତ୍ରଙ୍କର ମା’ କନକଲତା ବନ୍ଧଙ୍କ କହିବା ଅନୁସାରେ ଗାଁକୁ ବୁଧବାର ମାଛ ବିକାଳି ଆସି ଥିବାବେଳେ ସେ ତାଙ୍କଠାରୁ ମାଛ କିଣି ତରକାରୀ କରିଥିଲେ। ଏହି ତରକାରୀକୁ ଦୁଇ ଶିଶୁପୁତ୍ର ମଧ୍ୟ ଖାଇଥିଲେ। ତରକାରୀ ଖାଇବା ପରେ ଦୁଇ ଶିଶୁପୁତ୍ରଙ୍କୁ ବୁଧବାର ସନ୍ଧ୍ୟାଠାରୁ ବାନ୍ତି ହୋଇଥିଲା। ଚିକିତ୍ସା ପାଇଁ ଗୁରୁବାର ସେମାନଙ୍କୁ ବାସୁଦେବପୁର ଡାକ୍ତରଖାନା ଅଣାଯାଇଥିବା ବେଳେ ଡାକ୍ତର ସୁଜିତଙ୍କୁ ମୃତ ଘୋଷଣା କରିଥିଲେ। ଅସୁସ୍ଥ ଅଜିତଙ୍କର ଚିକିତ୍ସା ଜାରିରହିଛି।


