୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା ମିଳି ପାରିଲା ନାହିଁ। ଶେଷରେ ସୋମବାର ଉକ୍ତ କର୍ମଚାରୀ ଜଣଙ୍କ କର୍ମମୟ ଜୀବନରୁ ଅବସର ନେଇଛନ୍ତି। ସେ ହେଲେ ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର କର୍ମଚାରୀ ଟୁନା ଜେନା। ଏନେଇ ମଙ୍ଗଳବାର ଟୁନାଙ୍କ ଉଦ୍ଦେଶ୍ୟରେ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ହୋଇଥିଲା। ଏଥିରେ ନବ ନିଯୁକ୍ତ ଅଧ୍ୟକ୍ଷ ବିଭାସ କୁମାର ଦାସ ଅଧ୍ୟକ୍ଷତା କରି ଟୁନାଙ୍କ କର୍ମମୟ ଜୀବନ ସମ୍ପର୍କରେ କହିଥିଲେ। ଏଥିସହ ଆଗାମୀ ଦିନରେ ଯାହା ସାହାଯ୍ୟ ସହଯୋଗ ଲୋଡ଼ା ସରକାରୀ ବିଧି ବ୍ୟବସ୍ଥା ଅନୁସାରେ ଯୋଗାଇ ଦିଆଯିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶୈକ୍ଷିକ ପରିଷଦ ସମ୍ପାଦକ ପ୍ରାଧ୍ୟାପକ ହର ପ୍ରସାଦ ଶତପଥି,
ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ରଥ, ଡ ରବିନ୍ଦ୍ର କୁମାର ମିଶ୍ର, ଟୁନା ଜେନା ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ସୂଚନା ଯୋଗ୍ୟ ଯେ, ଟୁନା ୧୯୯୬ ମସିହାରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ଟୁନା ଦୀର୍ଘ ୨୭ ବର୍ଷ ଧରି ଦୁଇ ହଜାରରୁ କମ ଟଙ୍କା ପାରିଶ୍ରମିକ ପାଇ ନିଜ ପରିବାର ବହୁ ଦୁଃଖ କଷ୍ଟରେ ଚଳାଇଥିଲେ । କିନ୍ତୁ ସରକାରଙ୍କ ଶୁଭ ଦୃଷ୍ଟି ଉକ୍ତ କର୍ମଚାରୀ ମାନଙ୍କ ଉପରେ ପଡ଼ି ନ ଥିଲା। ସରକାର ରାଜ୍ୟରେ ଏକାଧିକ ବ୍ୟାଚ କର୍ମଚାରୀ ଏବଂ ଅଧ୍ୟାପକଙ୍କୁ ନିୟମିତ କରିଥିଲେ। କିନ୍ତୁ ଏହି ମହାବିଦ୍ୟାଳୟର ଅନେକ ଅଧ୍ୟାପକ ଓ କର୍ମଚାରୀ ସରକାରଙ୍କ ତ୍ରୁଟିପୂର୍ଣ୍ଣ ବିଧି ବ୍ୟବସ୍ଥା ଯୋଗୁ ଏବେବି
ନିୟମିତ ହେବାରୁ ବଞ୍ଚିତ ହୋଇଛନ୍ତି। ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଭରି ରହିଛି। ତେଣୁ ସରକାର ସ୍ବତନ୍ତ୍ର ଭାବେ କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

Dharitri – Odisha’s No.1 Odia Daily

Share