ଓ୍ବାଶିଂଟନ,୨୧।୧: ଡୋନାଲ୍ଡ ଟ୍ରମ୍ପ୍ ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଆମେରିକାରେ ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଥିବା କହିଛନ୍ତି। ଆମେରିକା ପ୍ରତ୍ୟେକ ଦେଶ ପାଇଁ ଇର୍ଷଣୀୟ ହେବାକୁ ଯାଉଛି। ଦେଶର ଅନୁଷ୍ଠାନଗୁଡ଼ିକରେ ବଡ଼ ଧରଣର ପରିବର୍ତ୍ତନ ଆସିବାକୁ ଯାଉଛି ବୋଲି ସେ କହିଛନ୍ତି। ଟ୍ରମ୍ପ୍ଙ୍କ ମହତ୍ତ୍ୱାକାଂକ୍ଷୀ ଦୂରଦୃଷ୍ଟି ଭାବେ ଜଣାଶୁଣା ‘ଆମେରିକା ଫାଷ୍ଟ’କୁ ସେ ଅଗ୍ରପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି। ଏଥିରେ ଆମେରିକାକୁ ପୁନଶ୍ଚ ନିରାପଦ, ଦେଶକୁ ସବୁ ପ୍ରକାର ପରିସ୍ଥିତି ସହ ସୁହାଇଲା ଭଳି ପଦକ୍ଷେପ ନେବା, ଶକ୍ତି କ୍ଷେତ୍ରରେ ପ୍ରଭାବ ବିସ୍ତାର, ଆମେରିକାର ମୂଲ୍ୟବୋଧକୁ ଫେରାଇ ଆଣିବା ଉପରେ ଗୁରୁତ୍ୱ ଦେଇଛନ୍ତି।
ଲାଗୁ ହେବ ସୀମା ଏମର୍ଜେନ୍ସି
ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ସୀମା ସୁରକ୍ଷା ଓ ଆମେରିକୀୟ ସମ୍ପ୍ରଦାୟକୁ ନିରାପତ୍ତା ପ୍ରଦାନ ଦିଗରେ ଟ୍ରମ୍ପ୍ ଦୃଢ଼ ପଦକ୍ଷେପ ନେବେ। ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ କେତେକ ନୀତିନିଷ୍ପତ୍ତିକୁ ହଟାଇବା ସହ ମେକ୍ସିକୋ ପାଚେରିକୁ ସୁଦୃଢ଼ କରିବା, ବେଆଇନ ସୀମା ଅତିକ୍ରମକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବା ଓ ଆପରାଧିକ କାର୍ଯ୍ୟକୁ ଦୃଢ଼ ହସ୍ତରେ ଦମନ କରିବା ଆଦି ଟ୍ରମ୍ପ୍ଙ୍କ କାର୍ଯ୍ୟଯୋଜନାରେ ଅନ୍ତର୍ଭୁକ୍ତ ଅଛି। ସୀମା ସୁରକ୍ଷାରେ ସଶସ୍ତ୍ର ବଳ ସମେତ ନ୍ୟାଶନାଲ ଗାର୍ଡଙ୍କୁ ନିୟୋଜିତ କରାଯିବ। ଆପରାଧିକ ନିଶାଦ୍ରବ୍ୟ ଚାଲାଣକାରୀଙ୍କୁ ଆତଙ୍କବାଦୀ ଆଖ୍ୟା ଦିଆଯିବା ସହ ବିଦେଶୀ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଦୃଢ଼ହସ୍ତରେ ଦମନ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି। ଆଇନ ପ୍ରବର୍ତ୍ତନକାରୀ ଅଧିକାରୀଙ୍କ ସମେତ ଆମେରିକୀୟଙ୍କ ହତ୍ୟାକୁ ଜଘନ୍ୟ ଅପରାଧ ଭାବେ ଗ୍ରହଣ କରାଯାଇ ସେମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାକୁ ନ୍ୟାୟ ବିଭାଗ ପଦକ୍ଷେପ ନେବ ବୋଲି ହ୍ବାଇଟ୍ ହାଉସ୍ କହିଛି।
ଗଲ୍ଫ ଅଫ୍ ମେକ୍ସିକୋ ହେବ
ଗଲ୍ଫ ଅଫ୍ ଆମେରିକା
ଗଲ୍ଫ ଅଫ୍ ମେକ୍ସିକୋକୁ ଗଲ୍ଫ ଅଫ୍ ଆମେରିକାରେ ପରିଣତ କରାଯିବ। ଆମେରିକା ମେକ୍ସିକୋ ସୀମାରେ ସେ ଜାତୀୟ ଏମର୍ଜେନ୍ସି ଘୋଷଣା କରିବେ ବୋଲି ଟ୍ରମ୍ପ୍ କହିଛନ୍ତି। ବିନା କାଗଜପତ୍ରରେ ଆମେରିକାରେ ରହିଥିବା ଅସଂଖ୍ୟ ନିୟୁତ ଆପ୍ରବାସୀଙ୍କୁ ସେ ବିଦା କରିବେ ବୋଲି କହିଛନ୍ତି। ଏହା କହିଲା ବେଳେ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ଛିଡ଼ାହୋଇ ତାଙ୍କ କଥାକୁ ସମର୍ଥନ ଜଣାଇଥିଲେ। ସେହିପରି ପାନାମା କେନାଲକୁ ଆମେରିକା ଅକ୍ତିଆର କରିବା ଉପରେ ଟ୍ରମ୍ପ୍ ଗୁରୁତ୍ୱ ଦେଇଛନ୍ତି। ଏବେ ଚାଇନା ପାନାମା କେନାଲକୁ ପରିଚାଳିତ କରିଥିବାରୁ ଟ୍ରମ୍ପ୍ ତାହାକୁ ନିଜ ଆଡ଼କୁ ଆଣିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବେ ବୋଲି କହିଛନ୍ତି।
କ୍ଷେତ୍ରରେ ଆଉ ଏକ ପାହାଚ ଚଢ଼ି ମଙ୍ଗଳକୁ ଆମେରିକୀୟ ମହାକାଶଚାରୀଙ୍କୁ ପଠାଇ ଦେଶକୁ ମହାକାଶ କ୍ଷେତ୍ରରେ ଅଧିକ ଶକ୍ତିଶାଳୀ କରିବାକୁ ଲକ୍ଷ୍ୟ ରହିଥିବା ଟ୍ରମ୍ପ୍ କହିଛନ୍ତି। ପ୍ରତ୍ୟେକ ବିଭାଗ ମଧ୍ୟରେ ଦକ୍ଷତା ବୃଦ୍ଧି ଲାଗି ଡିପାର୍ଟମେଣ୍ଟ ଅଫ୍ ଗଭର୍ନମେଣ୍ଟ ଏଫିକେସି (ସରକାରୀ ଦକ୍ଷତା ବିଭାଗ) ପ୍ରତିଷ୍ଠା କରିବା ଉପରେ ନୂଆ ରାଷ୍ଟ୍ରପତି ପ୍ରାଧାନ୍ୟ ଦେଇଛନ୍ତି।
କେବଳ ରହିବ ୨ଟି ଲିଙ୍ଗ
ଲିଙ୍ଗଗତ ବିବିଧତାରେ ପୂର୍ଣ୍ଣଛେଦ ଆଣି ଆମେରିକାର ସଂଘୀୟ ସରକାର କେବଳ ଦୁଇଟି ଲିଙ୍ଗ- ପୁରୁଷ ଓ ମହିଳାକୁ ସ୍ବୀକୃତି ଦେବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏନେଇ ଖୁବ୍ଶୀଘ୍ର ଏକ୍ଜିକ୍ୟୁଟିଭ୍ ଅର୍ଡରେ ସ୍ବାକ୍ଷର କରିବେ ବୋଲି ଘୋଷଣା କରିଛନ୍ତି। କିଛିବର୍ଷ ହେବ ଆମେରିକାରେ କିନ୍ନରଙ୍କ ଅଧିକାର ଏକ ବିବାଦୀୟ ରାଜନୈତିକ ବିଷୟ ହୋଇ ରହିଥିଲା। ଗତ ନିର୍ବାଚନୀ ପ୍ରଚାର ବେଳେ ଅନେକ ରିପବ୍ଲିକାନ୍ ସମଲିଙ୍ଗୀ ସଂକ୍ରାନ୍ତ ଆଇନକୁ ବଦଳାଇବା ପାଇଁ ଦାବି ଜଣାଇଥିଲେ। ବିବିଧତା, ସମାନତା ଏବଂ ସମାବେଶୀ କାଯର୍ର୍ୟକ୍ରମ ଦିଗରେ ଖୁବ୍ଶୀଘ୍ର ଅଧିକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଟ୍ରମ୍ପ୍ଙ୍କ ଆଗାମୀ ପ୍ରଶାସନର ଅଧିକାରୀ କହିଛନ୍ତି।


