
ଓ୍ବାଶିଂଟନ,୧୨।୩: ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପାକିସ୍ତାନୀଙ୍କ ଆମେରିକା ପ୍ରବେଶ ଉପରେ ରୋକ ଲଗାଇବାକୁ ପ୍ରସ୍ତୁତି କରୁଛି। ଆଗାମୀ ଆମେରିକା ଯାତ୍ରା ପ୍ରତିବନ୍ଧକ ତାଲିକାରେ ପାକିସ୍ତାନକୁ ଅରେଞ୍ଜ କାଟାଗୋରୀରେ ରଖାଯାଇପାରେ। ଦେଶଗୁଡ଼ିକ ପ୍ରତି ସୁରକ୍ଷା ଏବଂ ବିପଦ ଯାଞ୍ଚ କରୁଥିବା ସରକାରୀ ସମୀକ୍ଷା ଉପରେ ଏହି ପ୍ରତିବନ୍ଧକ ଲଗାଯାଇଛି। କୁହାଯାଉଛି ଯେ ଆଫଗାନିସ୍ତାନ, ଇରାକ, ଇରାନ ଏବଂ ଲେବାନନ ଭଳି ଦେଶଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ଯାତ୍ରା ପ୍ରତିବନ୍ଧକ ଲାଗିବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଲିବିଆ, ପାଲେଷ୍ଟାଇନ, ସୋମାଲିଆ, ସୁଦାନ, ସିରିଆ ଏବଂ ୟେମେନ ମଧ୍ୟ ନିଷିଦ୍ଧ ତାଲିକାରେ ସାମିଲ ହେବାର ଆଶଙ୍କା ରହିଛି।
ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ନାଗରିକମାନଙ୍କୁ ଆମେରିକା ଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ, କିନ୍ତୁ ଆମେରିକା ଭିସା ପାଇଁ ଆବେଦନ କରିବା ସମୟରେ ସେମାନଙ୍କୁ କଡ଼ା ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିପାରେ। ପାକିସ୍ତାନୀ ନାଗରିକଙ୍କ ପାଇଁ ନିର୍ଦ୍ଦିଷ୍ଟ ପ୍ରକାରର ଭିସା ପ୍ରତିବନ୍ଧିତ ହୋଇପାରେ, ନୂତନ ବର୍ଗ ଅଧୀନରେ କେବଳ ବ୍ୟବସାୟ ସମ୍ବନ୍ଧୀୟ ଯାତ୍ରାକୁ ଅନୁମତି ଦିଆଯାଇଛି। ଏହା ଆମେରିକାର ପ୍ରବାସନ ଏବଂ ଯାତ୍ରା ନୀତିରେ ପରିବର୍ତ୍ତନକୁ ସୂଚିତ କରୁଛି, ଯାହା ହଜାର ହଜାର ପାକିସ୍ତାନୀଙ୍କୁ ପ୍ରଭାବିତ କରିପାରେ।