ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ):ଗୁଗଲ ମ୍ୟାପ୍ ଦେଖାଇଲା ଭୁଲ ରାସ୍ତା। ଆଉ ଭୁଲ ରାସ୍ତାରେ ଆସି ଟ୍ରକ ଦୁର୍ଘଟଣାଗ୍ରସ୍ତ। ଏଭଳି ଘଟଣା ନୂଆ ହୋଇ ନ ଥିଲେ ମଧ୍ୟ ବାରମ୍ବାର ଏକାଧିକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେଉଥିବା ନଜିର ଆସିଛି। ପ୍ରକାଶ ଯେ, ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟି ଏବେ ଦୁର୍ଘଟଣାର ମୁଖ୍ୟସ୍ଥଳ ପାଲଟିଛି। ଦୈନିକ ଶହ ଶହ ଛୋଟ ବଡ଼ ଗାଡି ମୋଟର ଯାତାୟତ କରୁଥିବାବେଳେ ସେହି ଭଳି ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଛି। ଗୋଟିଏ ମାସରେ ୨ଟି ଟ୍ରକ ଗୁଗଲ ମ୍ୟାପ୍ ଦେଖି ଆସି ଦୁର୍ଘଟଣାର ଶିକାର ହୋଇଛନ୍ତି। ଉକ୍ତ ଘାଟିରେ ପ୍ଲାଇ ବୋର୍ଡ ବୋଝେଇ ଟ୍ରକ ଛତିଶଗଡ଼ରୁ ବାହାରି ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିଲା। ସେ ଛତିଶଗଡ଼ରୁ ଗୁଗଲ ମ୍ୟାପ୍ ସାହାଯ୍ୟରେ ବ୍ରହ୍ମପୁର ଯାଉଥିବା ବେଳେ ଏହି ଗାଜଲବାଡି ଘାଟି ରାସ୍ତାଟି ଦେଖାଇ ଥିଲା ଓ ଚାଳକ ଜଣକ ସେହି ରାସ୍ତାରେ ଆସୁଥିବାବେଳେ ଘାଟିର ବୁଲାଣି ରାସ୍ତାରେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା।
Dharitri – Odisha’s No.1 Odia Daily


