ଭାରତ ମାତା ପୂଜନ ଉତ୍ସବରେ ଓଲଟା ଉଡ଼ିଲା ତ୍ରିରଙ୍ଗା

ଦାରିଙ୍ଗବାଡ଼ି,୨୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଶିବ ମନ୍ଦିର ପ୍ରାଙ୍ଗଣରେ ୧୪ ତମ ଭାରତମାତା ପୂଜନ ଉତ୍ସବ ପାଳନ ସହ ବନ୍ଦେ ମାତରଂର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ନିଆରା ଢଙ୍ଗରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି। ଏଥିପାଇଁ ଜିଲା ଓ ଜିଲା ବାହାରୁ ବହୁ ଶ୍ରଦ୍ଧାଳୁ, ଦେଶ ଭକ୍ତମାନେ ଯୋଗଦାନ କରିଛନ୍ତି। ଏହି ଦିବସ ପାଳନ ଅବସରରେ ପୂର୍ବାହ୍ନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏଥିସହ ଉତ୍ତୋଳନ ପରେ ସମସ୍ତେ ମିଳିତ ଭାବେ ଜାତୀୟ ସଙ୍ଗୀତ ଗାନ କରି ଜାତୀୟ ପତାକାକୁ ସମ୍ମାନ ଜଣାଇଥିଲେ। ଏହି ସବୁ କାର୍ଯ୍ୟ ସାରିବା ବେଳକୁ ନଜରକୁ ଆସିଲା ଜାତୀୟ ପତାକାଟି ଓଲଟା ଉଡ଼ୁଛି। ତାକୁ ଭୁଲ ବଶତଃ ଓଲଟା ବନ୍ଧା ଯାଇ ଉତ୍ତୋଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଂସ୍କାର ଭାରତୀ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ଜଣେ ଅଭିଜ୍ଞ ଲୋକଙ୍କ ଦ୍ୱାରା ଏତେ ବଡ଼ ଭୁଲ୍‌ ହୋଇଗଲା ବୋଲି ଏବେ ସିମନବାଡି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ପୁଣି ପତାକା ତଳକୁ ଓଲ୍ହାଇ ତାକୁ ସଠିକ୍‌ ଭାବେ ବାନ୍ଧଯାଇଥିଲା ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମ ଗତ ୧୩ ବର୍ଷ ପାଳିତ କରାଯାଇଥିବା ବେଳେ ଚଳିତ ବର୍ଷ ୧୪ତମ ବର୍ଷ ପାଳନ କରାଯାଉଛି। ସନ୍ଧ୍ୟାରେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାରିପଦାର ଛଉନୃତ୍ୟ ସମେତ ନୟାଗଡ଼, ବୌଦ୍ଧ, ସୁନ୍ଦରଗଡ଼ ଆଦି ଜିଲାରୁ ବିଭିନ୍ନ ସାଂସ୍କୃତିକ ଦଳ ପହଞ୍ଚିବେ ଓ ନିଜ କଳା ପ୍ରଦର୍ଶନ କରିବେ। ସେହିପରି ସ୍ଥାନୀୟ କଳାକାରଙ୍କ ଦ୍ୱାରା ମଧ୍ୟ ପାରମ୍ପରିକ ନୃତ୍ୟ, ସଙ୍ଗୀତ ଓ ଅନ୍ୟାନ୍ୟ କଳା ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଛି। ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରକ ପାତ୍ର ଆଇଆଇଆସି ସଂଗ୍ରାମ କେଶରୀ ଜେନା ପ୍ରମୁଖ ଉକ୍ତ ଉତ୍ସବସ୍ଥଳକୁ ଆସି ପରିଦର୍ଶନ କରି ଫେରିଥିବା ଓ କାର୍ଯ୍ୟକ୍ରମକୁ ସଫଳ କରାଇବାରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।

Dharitri –Odisha’s No.1 Trusted Odia Daily