କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଗନ୍ଧମାର୍ଦ୍ଦନ ଲୋଡିଂ ଏବଂ କୋଅପରେଟିଭ ସୋସାଇଟି ଉପରେ ନିର୍ଭରଶୀଳ ଆଦିବାସୀମାନଙ୍କୁ ଅଣଦେଖା ଓ ହତାଦର କରାଯାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି। ଗନ୍ଧମାର୍ଦ୍ଦନ ଖଣି ପରିବେଷ୍ଟିତ କ୍ଷତିଗ୍ରସ୍ତ ଦଅଁଳା, ଶୁଆକାଠି, ଇଚିଣ୍ଡା, ନିତିଗୋଠ, କଇଁସାରୀ, ଉପରଜାଗର, ତଳଜାଗର, କୁମୁଣ୍ଡି ଅଞ୍ଚଳର ଲୋକ ମାନେ ଖଣିରେ ବିଶେଷ କରି ଶ୍ରମିକ ଭାବରେ କାମ କରିଆସୁଥିଲେ। ମାନୁଆଲ ଲୋଡିଂ ବନ୍ଦ ପରେ ସେମାନେ ମିଶି ଲୋଡର ମେଶିନ କିଣି ଗ୍ରୁପ ହୋଇ ଲୋଡିଂ କାମ କରି ସେ ପଇସାରେ ଚଳୁଥିଲେ।
ତେବେ ସରକାର ପରିବର୍ତ୍ତନ ପରେ ଉକ୍ତ ଖଣିରେ ଲୋଡିଂ ଦାୟିତ୍ୱ ନେଇଥିବା ଉକ୍ତ ସଂସ୍ଥା ସେମାନଙ୍କ ଲୋଡର ବାବଦକୁ ୪ ମାସର ଟଙ୍କା ଦେଉନଥିବାରୁ ସେମାନେ ଆର୍ଥିକ ସଙ୍କଟରେ ରହୁଥିବା ଓ ପରିବାର ପ୍ରତିପୋଷଣରେ ସମସ୍ୟା ଭୋଗୁଥିବା କହିଛନ୍ତି। ନୂତନ କାର୍ଯ୍ୟକର୍ତ୍ତାମାନେ ଅଣଆଦିବାସୀଙ୍କ ଲୋଡର ବାବଦକୁ ଅର୍ଥ ତୁରନ୍ତ ପୈଠ କରୁଥିବାବେଳେ ସେମାନଙ୍କୁ ମିଳୁ ନ ଥିବା ଅଭିଯୋଗ କରିଛନ୍ତି। ଏପରିକି ବକେୟା ଅର୍ଥ ଦାବି କଲେ ଲୋଡର ବାହାର କରିଦେବାକୁ ଧମକ ଦେଉଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଏଣୁ ସେମାନଙ୍କ ୪ ମାସର ବକେୟା ପାଉଣା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବାକୁ ସେମାନେ ଦାବି କରିଛନ୍ତି। ତଳକାଇଁସାରୀ ପଞ୍ଚାୟତ ସରପଞ୍ଚ ଶକୁନ୍ତଳା ଦେହୁରୀ, ପଞ୍ଚାୟତ ସମିତି ସଭ୍ୟା ବାସନ୍ତୀ ବେହେରାଙ୍କ ସମେତ କ୍ଷତିଗ୍ରସ୍ତ ଅଞ୍ଚଳବାସୀ ଏହି ଦାବିପତ୍ର ପ୍ରଦାନ କରିଛନ୍ତି।