ଭୁବନେଶ୍ୱର,୨୦ା୧୦(ସୌମ୍ୟରଞ୍ଜନ ରାଉତ): ଅନେକ ସ୍ଥାନରେ ଲୋକମାନେ ଆଦିବାସୀଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତି। କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସେବାରେ ଆଦିବାସୀମାନଙ୍କୁ ୧ମାସ ସେବା କରିବାକୁ ଯେଉଁ ସୁଯୋଗ ମିଳିଥାଏ, ତାହା ବଡ଼ ଗର୍ବର ବିଷୟ। ବର୍ତ୍ତମାନ ସମୟରେ ଆଦିବାସୀ ସମ୍ପ୍ରଦାୟର ଲୋକେ ବା ଯୁବକମାନେ ସହରମୁହାଁ ହୋଇ ନିଜର ଭାଷା, ନୃତ୍ୟ ତଥା ପରମ୍ପରାକୁ ଭୁଲିଯାଉଛନ୍ତି। ସେମାନଙ୍କୁ ଆଦିବାସୀ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଅବଗତ କରିବା ଦିଗରେ ଅନେକ ସଙ୍ଗଠନ ଏବେ କାମ କରିବା ଆରମ୍ଭ କଲେଣି ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ କହିଛନ୍ତି। ସ୍ଥାନୀୟ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଶା ପରିଚୟ ଫାଉଣ୍ଡେଶନ୍ ପକ୍ଷରୁ ଆୟୋଜିତ ୧୨ତମ ଆଦିବାସୀ ମହୋତ୍ସବ ‘ପରିଚୟ: ଦ ନ୍ୟାଶନାଲ ଟ୍ରାଇବାଲ୍ କାର୍ନିଭାଲ୍’ର ରବିବାର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜୁଏଲ୍ ଏହା କହିଛନ୍ତି।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ କହିଛନ୍ତି, ସମସ୍ତେ କୁହନ୍ତି ଏ ମାଟି ପାଇଁ ଆମେ ଗର୍ବିତ। ସତରେ କ’ଣ ଗର୍ବ କରିବାର ଆମ ଅଧିକାର ଅଛି। ଆମେ କିଛି ଦେଇଛେ ଏ ମାଟିକୁ ନା, ଖାଲି ଏ ମାଟିରୁ ଆମେ ଶୋଷଣ କରିଛେ। ଗର୍ବ ପରିବର୍ତ୍ତେ ଆମେ ଯଦି ଆମ ମାଟି ପାଇଁ କୃତଜ୍ଞତା ଆଣିବା ଯେ ଏ ମାଟି ଆମକୁ ଏତେ ଦେଉଛି, ତାହେଲେ ବାସ୍ତବରେ ଆଦିବାସୀର ଅର୍ଥ କ’ଣ ଆମେ ବୁଝିପାରନ୍ତେ। ଏପର୍ଯ୍ୟନ୍ତ ଆମେ ଆଦିବାସୀର ପ୍ରକୃତ ଅର୍ଥ ବୁଝିପାରିନାହାନ୍ତି। ଆମେ ସମସ୍ତେ ଭାବୁ ଆଦିବାସୀ ହେଉଛନ୍ତି ଏକ ଜନଜାତି, କିନ୍ତୁ ତାହା ନୁହେଁ। ଆଦିବାସୀ ଜନଜାତି ନୁହେଁ, ସେମାନେ ଏ ଜାତିର ପ୍ରକୃତ ମାଲିକ ବୋଲି ତଥାଗତ ମତ ପ୍ରକାଶ କରିଥିଲେ।
ଅନ୍ୟତମ ଅତିଥି ଭାବେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ କହିଥିଲେ, ରାଜଧାନୀରେ ଆଦିବାସୀଙ୍କ ଭାଷା, ପାରମ୍ପରିକ ଲୋକନୃତ୍ୟର ଆଦାନପ୍ରଦାନ ହେବା ବଡ଼ ଗୌରବର କଥା। ଆଦିବାସୀ ସମ୍ପ୍ରଦାୟର ଲୋକେ କ’ଣ କଲେ ତାଙ୍କର ଭାଷା ବା ପରମ୍ପରା ବଞ୍ଚିତ ରହିପାରିବ, ସେ ବାଟ ତାଙ୍କୁ ଠିକ୍ ଜଣା ଅଛି। ସେମାନଙ୍କଠୁ ଅନେକ କିଛି ଶିଖିବାକୁ ମିଳେ ବୋଲି ଆଦ୍ୟାଶା କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, ବରିଷ୍ଠ ଖବରଦାତା ସତ୍ୟ ପ୍ରକାଶ ନାୟକ, ଭାଜପା ନେତା ପବିତ୍ର ମୋହନ ଦାସ ଓ ରାଣା ପ୍ରତାପ ପାତ୍ର ପ୍ରମୁଖ ଯୋଗଦେଇ ଆଦିବାସୀମାନଙ୍କ ସଂସ୍କୃତି, ଅଧିକାର ଉପରେ ଆଲୋକପାତ କରିଥିଲେ।