ଡେରାଡୁନ୍: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ୍ରେ ବିକାଶମୂଳକ ପ୍ରକଳ୍ପ ପାଇଁ ବୃକ୍ଷ କାଟିବାକୁ ବିରୋଧ କରି ‘ପରିବେଶ ବଞ୍ଚାଅ ଆନ୍ଦୋଳନ ୨.୦’ ବ୍ୟାନରରେ ପରିବେଶବିତ୍ ତଥା ବୁଦ୍ଧିଜୀବୀମାନେ ଏକତ୍ର ହୋଇ ବୃକ୍ଷଗୁଡ଼ିକର ପ୍ରତୀକାତ୍ମକ ଅନ୍ତିମ ସଂସ୍କାର ଯାତ୍ରା କରିଛନ୍ତି। ସହରର ପରେଡ୍ ଗ୍ରାଉଣ୍ଡରେ ହୋଇଥିବା ଏହି ଅନ୍ତିମ ସଂସ୍କାର ଯାତ୍ରାରେ ଅନେକ ସଂଖ୍ୟାରେ ଲୋକ ଏକତ୍ରିତ ହୋଇ ବିକାଶମୂଳକ ପ୍ରକଳ୍ପ ନାମରେ କଟାଯାଇଥିବା ଗଛଗୁଡ଼ିକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ଅବସରରେ ଆନ୍ଦୋଳନକାରୀ ଧଳା ପୋଷାକ ପରିଧାନ କରିବା ସହ ମୁହଁରେ କଳାପଟି ବାନ୍ଧିଥିଲେ ଓ ଶୁଖିଲା ଗଛଗୁଡ଼ିକର ଶାଖା ନେଇ ରାଜ୍ୟ ସଚିବାଳୟ ଆଡ଼କୁ ଶାନ୍ତିପୂର୍ଣ୍ଣ ଭାବେ ଅଗ୍ରସର ହୋଇଥିଲେ। ତେବେ ପୋଲିସ ଆନ୍ଦୋଳନକାରୀମାନଙ୍କୁ ବାଟରେ ଅଟକାଇ ଦେଇଥିଲା।


