ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ ଦୁଇ ଘଣ୍ଟା ବ୍ୟାପୀ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା । ଘନ ଘନ ବଜ୍ରପାତ ସହ ଝଡ଼ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ମୂଷଳ ଧାରାରେ ବର୍ଷା ସହ କୁଆପଥର ପଡ଼ିଥିଲା।

ତେବେ ଝଡ଼ବର୍ଷା ସମୟରେ ଏକ ଗଛ ବସ୍ ଉପରେ ପଡିଯାଇଥିଲା । ଦିଗପହଣ୍ଡିରୁ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ଅଭିମୁଖେ ଯାଉଥିବା ରାଜ୍ୟ ସଡ଼କ ପରିବହନ ନିଗମର ମୁଖ୍ୟମନ୍ତ୍ରୀ ବସ (ନଂ. ଓଡ଼ି ୩୨ ଜେ-୮୭୦୭) ଉପରେ ଗଛଟି ପଡିଯାଇଥିଲା । ଅପରାହ୍ନ ପ୍ରାୟ ସାଢ଼େ ୨ ଟାରେ ବିଜୟ ଲକ୍ଷ୍ମୀନାରାୟଣପୁର ଗାଁ ଉପକଣ୍ଠ ରେ ଏକ ବିରାଟକାୟ ଗଛ ଡ଼ାଳ ପଡିଯିବାରୁ ବସଟି କ୍ଷତିଗ୍ରସ୍ତ ହୋଇଛି ।

ରାସ୍ତାକଡ଼ରେ ଥିବା ଗଛ ବସ୍ ଉପରେ ପଡିଯାଇଥିଲା । ଯାତ୍ରୀମାନେ ଭୟଭୀତ ହୋଇ ଚିତ୍କାର କରିଥିଲେ। ଚାଳକ ବ୍ରହ୍ମାନନ୍ଦ ପଣ୍ଡା ଏବଂ କର୍ମଚାରୀମାନେ  ଯାତ୍ରୀମାନଙ୍କୁ ସୁରକ୍ଷିତ ଅବସ୍ଥାରେ ବସରୁ ତଳକୁ ଓହ୍ଲାଇ ଦେଇଥିଲେ । ବଡ ଧରଣର ଅଘଟଣରୁ ୪୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିଲେ। ଝଡ଼ ବର୍ଷା ଓ କୁଆପଥର ମାଡରେ ଗ୍ରାମାଞ୍ଚଳ ମାନଙ୍କରେ ବହୁ ସଂଖ୍ୟକ ଚାଷୀଙ୍କ ପନିପରିବା ଓ ଆମ୍ବ ଝଡି ପଡ଼ିଥିବା ଜଣାପଡିଛି ।

 

Dharitri – Odisha’s No.1 Odia Daily

Share