କାର୍ଡବୋର୍ଡରେ ଚାଲିଛି ଚିକିତ୍ସା: ଜାଣିନାହାନ୍ତି ସିଡିଏମ୍‌ଓ, ମନ୍ତ୍ରୀ ବି ନୀରବ, ଫଟୋ-ଭିଡିଓ ଭାଇରାଲ ପରେ…

ବରଗଡ଼,୯ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରେ ସମସ୍ୟା ଅସମାହିତ ହୋଇପଡ଼ିଥିବାବେଳେ ଏଠାରେ ରୋଗୀଙ୍କୁ ମୌଳିକ ସ୍ବାସ୍ଥ୍ୟସେବା ମଧ୍ୟ ମିଳିପାରୁ ନ ଥିବା ଅଭିଯୋଗ ହୋଇଛି। ଉକ୍ତ ଡାକ୍ତରଖାନାରେ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ସ୍ଲାବ୍‌ କିମ୍ବା ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ବଦଳରେ ବର୍ଜ୍ୟବସ୍ତୁ ତଥା କାର୍ଡବୋର୍ଡରେ ଚିକିତ୍ସା କରାଯିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଜିଲା ମୁଖ୍ୟ ଡାକ୍ତରଖାନାର ଏଭଳି ଚିକିତ୍ସା ପଦ୍ଧତିକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ତେବେ ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ) ଡା. କୁବେର ମହନ୍ତଙ୍କୁ ପଚାରିବାରୁ ସେ କହିଥିଲେ, ଭାଇରାଲ ହେଉଥିବା ଭିଡିଓ, ଫଟୋ କେଉଁଠିକାର ଏବଂ କେବେ ସେଭଳି ହୋଇଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେହିପରି ଜିଲା ମୁଖ୍ୟ ଡାକ୍ତରଖାନାରେ ଅସ୍ଥିଶଲ୍ୟ ବିଶେଷଜ୍ଞ ନାହାନ୍ତି, ଯଦି ସେଭଳି କିଛି ହୋଇଥିବ, ତାହା ଆଟେଣ୍ଡାଣ୍ଟମାନେ ଭୁଲ୍‌ରେ କରିଥିବେ ବୋଲି ସେ କହିଥିଲେ। ସେହିପରି ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବରଗଡ଼ ଗସ୍ତରେ ଆସିଥିବାବେଳେ ଗଣମାଧ୍ୟମ ପ୍ରତିନିଧିମାନେ ସେ ସମ୍ପର୍କରେ ତାଙ୍କୁ ପ୍ରଶ୍ନ କରିବାରୁ ମନ୍ତ୍ରୀ ଡା. ମହାଲିଙ୍ଗ କିଛି ଉତ୍ତର ରଖି ନ ଥିଲେ।
ଉକ୍ତ ଜିଲା ମୁଖ୍ୟ ଡାକ୍ତରଖାନାର ସମସ୍ୟା ନୂଆଁ ନୁହେଁ। ଏଠାରେ ବିଦ୍ୟୁତ୍‌ ସେବା ଠପ୍‌ ପଡ଼ିବାରୁ ମୋବାଇଲ ଟର୍ଚ୍ଚ ଲାଇଟ୍‌ରେ ରୋଗୀଙ୍କ ଚିକିତ୍ସା ଚାଲିଥିବାର ନଜୀର ରହିଥିବାବେଳେ ବିଭିନ୍ନ ପରୀକ୍ଷା ସେବା ମଧ୍ୟ ଅନେକ ସମୟରେ ଉପଲବ୍ଧ ହେଉ ନାହିଁ। ତେବେ ତାହା ସାଧାରଣରେ ପରିଣତ ହୋଇଥିବାବେଳେ ଏବେ କାର୍ଡବୋର୍ଡରେ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ଚିକିତ୍ସା ଏଠାରେ ଚାଲୁଥିବା ଘଟଣା ସାମ୍ନାକୁ ଆସିବା ପରେ ଘଟଣାଟି ଆଲୋଡ଼ନ ଖେଲାଇ ଦେଇଛି।

ମିଳିଥିବା ସୂଚନାନୁଯାୟୀ, ଏକାଧିକ ଥର ଏଠାରେ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଏଭଳି କାର୍ଡବୋର୍ଡରେ ପ୍ରାଥମିକ ଚିକିତ୍ସା କରାଯାଇ ଭୀମସାର୍‌, ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗତ ୩ ତାରିଖ ବରଡ଼ୋଲ ମିଲ୍‌ ପାଖରେ ଏବଂ ୫ତାରିଖ ପଥର୍ଲା ପାଖରେ ହୋଇଥିବା ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଏଭଳି ଚିକିତ୍ସା କରାଯାଇଥିଲା ଏବଂ ଭାଇରାଲ ହେଉଥିବା ଫଟୋ, ଭିଡିଓ ସମ୍ପୃକ୍ତ ଆହତଙ୍କ ଚିକିତ୍ସା ସମୟର ବୋଲି ସାଧାରଣରେ ଆଲୋଚିତ ହେଉଛି।
ତେବେ କାର୍ଡବୋର୍ଡ ଏକ ବର୍ଜ୍ୟବସ୍ତୁ ହୋଇଥିବାବେଳେ ଦୁର୍ଘଟଣାରେ ଆହତଙ୍କୁ ସେଭଳି ଚିକିତ୍ସା ଦ୍ୱାରା ସଂକ୍ରମଣର ଆଶଙ୍କା ଅଧିକ ରହିଛି। ଏହାସତ୍ତ୍ୱେ ଜିଲା ମୁଖ୍ୟ ଡାକ୍ତରଖାନାରେ କିଭଳି ସ୍ଥିତିରେ ସେଭଳି ଚିକିତ୍ସାକୁ ବିଭାଗୀୟ କର୍ମଚାରୀମାନେ ଆପଣାଇ ନେଇଛନ୍ତି ଏବଂ ଏପର୍ଯ୍ୟନ୍ତ ବିଭାଗୀୟ ମୁଖ୍ୟ ମଧ୍ୟ ସେଥିପ୍ରତି ଅବଗତ ନାହାନ୍ତି, ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ୟପଟେ ଜିଲା ମୁଖ୍ୟ ଡାକ୍ତରଖାନାରେ ଚାଲିଥିବା ଏଭଳି ଖାମଖିଆଲି ଚିକିତ୍ସା ପ୍ରତିବାଦରେ ଜନ ଅସନ୍ତୋଷ ତେଜି ଉଠିଥିବାବେଳେ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକିଛି।

Share