ପେନ୍‌ସନ୍‌ ଟଙ୍କା କରାଇ ଦେବାକୁ କହି ନେଉଥିଲେ ଲାଞ୍ଚ

ଜୟପୁର,୨୫ା୧୦(ପବନ ପାଣିଗ୍ରାହୀ): ଏରିୟର୍‌ ଏବଂ ପେନ୍‌ସନ୍‌ ଟଙ୍କା କରାଇ ଦେବାକୁ କହି ସ୍ବତନ୍ତ୍ର କୋଷାଗାରର ପିଅନ ହରିଶ୍ଚନ୍ଦ୍ର ମହାପାତ୍ର ଲାଞ୍ଚ ନେଉଥିବା ବେଳେ କୋରାପୁଟ ଜିଲା ଜୟପୁର ଭିଜିଲାନ୍ସ ଟିମ୍‌ ଶନିବାର ଚଢ଼ାଉ କରିଛି। ହରିଶ୍ଚନ୍ଦ୍ର ଜଣେ ବ୍ୟକ୍ତଙ୍କଠାରୁ ୪୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା।

ସୂଚନା ଅନୁଯାୟୀ, ଭରତ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଶ୍ୱଶୁର ରାଜେନ୍ଦ୍ର ଖରାଙ୍କ ମୃତ୍ୟୁ ପରେ ଶାଶୁ ପ୍ରେମନଳିନୀ ଖରା ଜୟପୁର ସେଟଲମେଣ୍ଟ ଅଫିସରେ ପିଅନ ଭାବେ କାର୍ଯ୍ୟରତ ଅଛନ୍ତି। ଭରତ ଶ୍ୱଶୁରଙ୍କ ଏରିୟର ଓ ପେନ୍‌ସନ୍‌ ଟଙ୍କା କରାଇଦେବାକୁ ହରିଶ୍ଚନ୍ଦ୍ରଙ୍କୁ କହିଥିଲେ। ଏଥିରେ ହରିଶ୍ଚନ୍ଦ୍ର ଯାହା ପେନ୍‌ସନ୍‌ ଓ ଏରିୟର ଟଙ୍କା ହେବ ଏହାର ଅଧା ଲାଞ୍ଚ ଦେବାକୁ ଭରତଙ୍କୁ ଦାବି କରିଥିଲେ। ଭରତ ଏଥିରେ ରାଜି ହୋଇ ୪ ଦିନ ତଳେ ହରିଶ୍ଚନ୍ଦ୍ରଙ୍କୁ ୪୦ ହଜାର ଟଙ୍କା ଦେଇଥିଲେ।

ଏହାପରେ ସେ ଜୟପୁର ଭିଜିଲାନ୍ସ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ଯୋଜନା ମୂତାବକ ଶନିବାର ଭରତ ଆଉ ୪୭ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ହରିଶ୍ଚନ୍ଦ୍ରଙ୍କୁ କାବୁ କରିଥିଲା। ଚଢ଼ାଉରେ ଭିଜିଲାନ୍ସ ବିଭାଗର ୭ ଜଣିଆ ଟିମ୍‌ ସାମିଲ ହୋଇଥିଲେ। ଜୟପୁର ଏଲ୍‌ଆଇସି କଲୋନିର ସରକାରୀ ଜାଗାରେ ଥିବା ହରିଶ୍ଚନ୍ଦ୍ରଙ୍କ ୨ ମହଲା କୋଠାରେ ଯାଞ୍ଚ ଜାରି ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share