ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା ବେଳେ ମଙ୍ଗଳବାର ସକାଳେ ଗୋଟିଏ ଗୋଷ୍ଠୀର ୪ ଜଣ କିନ୍ନରଙ୍କୁ ଆକ୍ରମଣ ସହ ଚୁଟି କାଟି ଦେଇଛନ୍ତି । ଏପରିକି ସେମାନଙ୍କ ଠାରୁ ଟଙ୍କା ସୁନା ଅଳଙ୍କାର ଲୁଟି ନେଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି ।
ସୂଚନା ମୁତାବକ ଭଦ୍ରକ ଚରମ୍ପାରେ ରହୁଥିବା ଶ୍ରାବଣୀ କିନ୍ନର ଓ ସଞ୍ଜନା ସାସମଲ କିନ୍ନର ୨ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି । ପୂର୍ବରୁ ମଧ୍ୟ ଟାଉନ ଥାନାରେ ଉଭୟଙ୍କ ବିରୋଧରେ ଅଭିଯୋଗ ସହ ମାମଲା ରୁଜୁ ହୋଇଛି । ମଙ୍ଗଳବାର ସକାଳେ ଶ୍ରାବଣୀ ଗୋଷ୍ଠୀର ୪ ଜଣ ଘରକୁ ଫେରୁଥିବା ବେଳେ ଚରମ୍ପା ଡଗରା ସାହି ନିକଟରେ ସଞ୍ଜନା ଗୋଷ୍ଠୀର କିଛି କିନ୍ନର ଓ କିଛି ଯୁବକ ତାଙ୍କୁ ଆକ୍ରମଣ କରି ଟଙ୍କା ସୁନା ଛଡାଇ ନେଇଛନ୍ତି ଓ ଚୁଟି ମଧ୍ୟ କାଟି ଦେଇଛନ୍ତି । ଏନେଇ ଶ୍ରାବଣୀ ଗୋଷ୍ଠୀର କିନ୍ନର ମାନେ ଭଦ୍ରକ ଟାଉନ ଥାନାରେ ପହଞ୍ଚି ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପାଟିତୁଣ୍ଡ କରିଛନ୍ତି ।