ଦିଗପହଣ୍ଡି,୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗ୍ରାମ ଗଣିଆ ସାହିରେ ଗତ ୨ ଦିନ ପୂର୍ବେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡ଼ିଯାଇଛି। ଫଳରେ ବିଦ୍ୟୁତ ସରବରାହ ବନ୍ଦ ରହିବା ସହ ଅନ୍ଧକାରରେ ବିତୁଛି ସାହି ବାସିନ୍ଦାଙ୍କ ଜୀବନ। ସନ୍ଧ୍ୟା ହେଲେ ସାହି ରାସ୍ତା ସମ୍ପୂର୍ଣ୍ଣ ଅନ୍ଧକାର ହୋଇ ପଡ଼ିଥିଲେ ବିଦ୍ୟୁତ୍ ବିଭାଗର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଅଚଳ ଟ୍ରାନ୍ସଫର୍ମର ମରାମତି କରୁ ନ ଥିବାରୁ ବୁଧବାର ସକାଳେ ଉତ୍ତେଜିତ ସାହି ବାସିନ୍ଦା ବମକୋଇ ଗ୍ରାମସ୍ଥିତ ଟିପିଏସ୍ ଓଡିଏଲ ଟାଟା ପାଓ୍ବାର ଦେଓଖାଳି ଗ୍ରାମ ବିଦ୍ୟୁତ୍ ସେକ୍ସନ କାର୍ଯ୍ୟାଳୟରେ ପହଞ୍ଚି ଅଚଳ ବିଦ୍ୟୁତ୍ ଟ୍ରାନ୍ସଫର୍ମର ମରାମତି କରି ତୁରନ୍ତ ବିଦ୍ୟୁତ୍ ସରବରାହ ଯୋଗାଇଦେବା ଦାବିରେ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଦସ୍ତଖତ ସମ୍ବଳିତ ଦାବିପତ୍ର ଉପସ୍ଥିତ କନିଷ୍ଠ ଯନ୍ତ୍ରୀ ଇଂ.ଅମୃତ ନାହାକଙ୍କୁ ପ୍ରଦାନ କରିଥିଲେ। ଅଧିକ ଲୋଡିଂ ଯୋଗୁ ଟ୍ରାନ୍ସଫର୍ମରଟି ପୋଡ଼ି ଯାଇଥିଲା। ସନ୍ଧ୍ୟାରେ ବିଦ୍ୟୁତ୍ ବିଭାଗ କର୍ମଚାରୀମାନେ ଗ୍ରାମରେ ପହଞ୍ଚି ୧ ଶହ କେ. ଭି କ୍ଷମତାର ନୂଆ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସଂଯୋଗ କରି ବିଦ୍ୟୁତ ସରବରାହ ଚାଲୁ କରିଥିବା କନିଷ୍ଠ ଯନ୍ତ୍ରୀ କହିଛନ୍ତି। ଏନେଇ ଦିଗପହଣ୍ଡି ବିଦ୍ୟୁତ୍ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ହରିହର ଦତ୍ତଙ୍କୁ ପଚାରିବାରୁ ଅଭିଯୋଗ ପାଇବା ପରେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ସମସ୍ୟା ସମାଧାନ କରାଯାଇଥିବା ଜଣାଇଛନ୍ତି। ଅପରପକ୍ଷରେ ଚୌଧୁରୀ ଟିକରପଡ଼ା ଗାଁରେ ବହୁ ସଂଖ୍ୟକ ବିଦ୍ୟୁତ ଉପଭୋକ୍ତା ବିଦ୍ୟୁତ୍ ଚୋରି କରୁଥିବା ଅଭିଯୋଗ ହୋଇଥିଲା। ବିଦ୍ୟୁତ୍ ଭିଜିଲାନ୍ସ ଟିମ୍ ଗାଁରେ ଚଢ଼ାଉ କରି ୧୨୮ ଉପଭୋକ୍ତାଙ୍କ ବିଦ୍ୟୁତ୍ ମିଟର ଟାମ୍ପରିଂ ଧରିବା ସହ ଜରିମାନା ଧାର୍ଯ୍ୟ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ବିଦ୍ୟୁତ୍ ବିଭାଗ ଜରିମାନା ୩୦ ପ୍ରତିଶତ ହ୍ରାସ କରିଥିଲେ ମଧ୍ୟ ବହୁ ସଂଖ୍ୟକ ଉପଭୋକ୍ତା ଜରିମାନା ପୈଠ କରି ନ ଥିବା ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଇଛି।