କର୍ଲାମୁଣ୍ଡା,୧୮ା୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ କର୍ଲାମୁଣ୍ଡା ତହସିଲ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ତିନିଦିନିଆ ପ୍ରଶିକ୍ଷଣ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ତହସିଲଦାର ତଥା ଜନ ଗଣନା ବ୍ଲକ ଇନ୍ଚାର୍ଜ ଅରୁଣ ବର୍ଗେ, ଅତିରିକ୍ତ ତହସିଲଦାର ଶୁଭେନ୍ଦୁ ପଟେଲ ଶିବିରକୁ ଉଦ୍ଘାଟନ କରିଥିବା ବେଳେ ସାଧନକର୍ମୀ ଭାବେ ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ପ୍ରଧାନ, ବ୍ଲକ ମତ୍ସ୍ୟ ଅଧିକାରୀ ଶକ୍ତିକାନ୍ତ ବେହେରା ଯୋଗ ଦେଇ କିଭଳି ନିର୍ଭୁଲ ଭାବେ ଜନଗଣନା କାର୍ଯ୍ୟ ସମ୍ପାଦନା ହେବ ସେ ଉପରେ ତାଲିମ ପ୍ରଦାନ କରିଥିଲେ। ଏହାସହିତ ଘରେ ଘରେ ସର୍ବେକ୍ଷଣ କରିବା ସମୟରେ ଅନୁସରଣୀୟ ନିୟମ ଓ ନୀତି ଉପରେ ମଧ୍ୟ ଜୋର ଦିଆଯାଇଥିଲ। ଏଥିରେ ୭ ସୁପରଭାଇଜର ଓ ୪୩ ଆନିମେଟରଙ୍କ ତାଲିମ ଗ୍ରହଣ କରୁଥିବା ତହସିଲଦାର ଅରୁଣ ବର୍ଗେ ସୂଚନା ଦେଇଛନ୍ତି। ତେବେ ଏହି ପ୍ରଶିକ୍ଷଣ ଶିବିର ଶୁକ୍ରବାର ଉଦ୍ଯାପିତ ହେବାକୁ ଥିବା ବେଳେ ଚଳିତ ମାସ ୨୧ରୁ ୨୩ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ଓ ୨୪ରୁ ୨୬ ତାରିଖରେ ତୃତୀୟ ପର୍ଯ୍ୟାୟ ତାଲିମ ଶିବିର ଅନୁଷ୍ଠିତ ହେବାକୁ ଥିବା ଜଣାପଡ଼ିଛି। ତାଲିମ ଶିବିରରେ ତହସିଲ କର୍ମଚାରୀ ରୁଷଭ ମାଝୀ, ଋତୁରାଜ ଭୋଇ, ହିରାମଣି ଭୋଇ, ନବିଶ୍ୱର ନାଗ, ତାପସ ସାହୁ, ଫିରୋଜ ସାହୁ, ଗୋପାଳ ପୁଟେଲ ପ୍ରମୁଖ ସହଯୋଗ କରିଥିଲେ।